୬ରୁ ପୁଣି ପଶ୍ଚିମବଙ୍ଗ ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ ଏନଏଚଆରସି ଦଳ
କୋଲକାତା : ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ଦଙ୍ଗା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଦ୍ବାରା ଗଠିତ ତଥ୍ୟ ଅନୁସଂଧାନକାରୀ ଦଳ ଆସନ୍ତା ୬ ଓ ୭ ତାରିଖରେ ମାଲଦା ଓ ୮ ତାରିଖରେ ମୁର୍ସିଦାବାଦ ଗସ୍ତରେ ଯାଇ ଦଙ୍ଗା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ଜାତୀୟ ସଂଖ୍ୟାଲଘୁ ଆୟୋଗର ଉପସଭାପତି ଆତିଫ ରସିଦଙ୍କ ନେତୃତ୍ବରେ ଏହି ଦଳ ଗତ ସପ୍ତାହରେ ପଶ୍ଚିମବଙ୍ଗର ଯାଦବପୁର ଗସ୍ତରେ ଯାଇଥିଲା । ମାତ୍ର ଏହି ଗସ୍ତ ବେଳେ ଏନଏଚଆରସି ଦଳ ଉପରେ ଆକ୍ରମଣ ହୋଇଥିବା ଆତିଫ ଅଭିଯୋଗ କରିଥିଲେ ।
ଏହି ତଥ୍ୟ ଅନୁସଂଧାନକାରୀ ଦଳର ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ନିର୍ବାଚନ ପରେ ପ୍ରାୟ ୧୫ ହଜାର ହିଂସା ହୋଇଥିଲା ଓ ସେଥିରେ ପ୍ରାୟ ୨୫ ଜଣ ଲୋକ ପ୍ରାଣ ହରାଇଥିଲେ ଓ ପ୍ରାୟ ୭ ହଜାର ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏପରିକି ଯେଉଁ ଲୋକମାନେ ବିଜେପିକୁ ଭୋଟ ଦେଇଥିଲେ ସେମାନଙ୍କୁ ସର୍ବାଧିକ ଟାର୍ଗେଟ କରାଯାଇଥିଲା । ଏହି ନିର୍ବାଚନ ପରବର୍ତ୍ତୀ ହିଂସା ପାଇଁ ଟିଏମସି ଦାୟୀ ବୋଲି ବିଜେପି ପୂର୍ବରୁ ଅଭିଯୋଗ କରିଥିଲା ।