ଜୁଲାଇ ୬ରେ ଜ୍ଞାନବାପି ମସଜିଦ ମାମଲାର ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୬ ତାରିଖରେ ଜ୍ଞାନବାପି ମସଜିଦ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଶୁଣାଣିରେ ଆହ୍ଲାବାଦ୍ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠରେ ସର୍ବପ୍ରଥମେ ହିନ୍ଦୁ ପକ୍ଷର ଯୁକ୍ତି ସମାପ୍ତ ହେବାପରେ ଶମ୍ୱୁ ବିଶେଶ୍ୱର ଭଗବାନ ପତ୍ରକାର ପକ୍ଷରୁ ବିଜୟ ଶଙ୍କର ରାଷ୍ଟୋଗୀ କୋର୍ଟଙ୍କ ଆଗରେ ନିଜ ଯୁକ୍ତି ରଖିଥିଲେ । ହିନ୍ଦୁ ପକ୍ଷର ଯୁକ୍ତି ଶେଷ ହେବା ପରେ ୟୁପି ସନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡର ଓକିଲ ପୁଣେ ଗୁପ୍ତା ମଧ୍ୟ ମନ୍ତବ୍ୟ ଦେଇଥିଲେ । ଏହାପରେ କୋର୍ଟ ଶୁଣାଣୀ ପାଇଁ ପରବର୍ତ୍ତୀ ତାରିଖ ସ୍ଥିର କରିଛନ୍ତି ।
୧୯୯୧ ମସିହାରେ ବାରାଣାସୀ କୋର୍ଟରେ ଦାଖଲ ହୋଇଥିବା ମାମଲାର ଶୁଣାଣି ହୋଇପାରିବ କି ନାହିଁ ତାହା ଉପରେ ହାଇକୋର୍ଟରେ ଏକ ବିତର୍କ ଚାଲିଛି । ଆଜିର ଶୁଣାଣି ପରେ କୋର୍ଟ ପରବର୍ତ୍ତୀ ଶୁଣାଣି ଜୁଲାଇ ୬ ରେ ତାରିଖକୁ ଘୁଞ୍ଚାଇଛନ୍ତି । ଏହାସହ ଏବେ କୋର୍ଟ ନିଷ୍ପତ୍ତି ନେବାକୁ ପଡିବ ଯେ ୩୧ ବର୍ଷ ପୂର୍ବେ ବାରାଣାସୀ ଜିଲ୍ଲା କୋର୍ଟରେ ଦାଖଲ ହୋଇଥିବା ମକଦ୍ଦମା ଶୁଣାଣି ହୋଇପାରିବ କି ନାହିଁ । ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଜ୍ଞାନବାପି ମସଜିଦ ପରିସରକୁ ନେଇ ବିବାଦ ଲାଗିରହିଛି । ମୁସଲିମ ପକ୍ଷରୁ କୁହାଯାଇଛି ଯେ ପୂଜାପାଠ ଅଧିନିୟମ ୧୯୯୧ ଅନୁଯାୟୀ ଏହି ମକଦ୍ଦମା ଦାୟର କରାଯାଇପାରିବ ନାହିଁ। ଏହା ଅଧୀନରେ ଅଯୋଧ୍ୟା ବ୍ୟତୀତ ଦେଶର ଅନ୍ୟ କେଉଁ ଧାର୍ମିକ ସ୍ଥାନର ପ୍ରକୃତିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ।
ଏହି ଅଧିନିୟମ ଅନୁଯାୟୀ, ଦେଶର ସ୍ୱାଧୀନତା ସମୟ ତଥା ୧୫ ଅଗଷ୍ଟ ୧୯୪୭ ରେ ଧାର୍ମିକ ସ୍ଥିତି ଯେପରି ଥିଲା ଏବେ ମଧ୍ୟ ତାହା ସମାନ ରହିବ। କାଶୀ ବିଶ୍ୱନାଥ ମନ୍ଦିର- ଜ୍ଞାନବାପି ମସଜିଦ ବିବାଦରେ ମସଜିଦର ବ୍ୟବସ୍ଥା କମିଟି ଏବଂ ୟୁପି ସନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ମୁସଲମାନ ପକ୍ଷ ରହିଛନ୍ତି । ଉଭୟ ପକ୍ଷରୁ ମୋଟ ୬ ଟି ପିଟିସନ ଦାଖଲ କରାଯାଇଛି। ମୁସଲମାନ ଦଳର ବିତର୍କ ଶେଷ ହେବା ପରେ ବଳିଥିବା ସମୟରେ ୟୁପି ସରକାରଙ୍କ ପକ୍ଷ ମଧ୍ୟ ରଖାଯିବ । ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଜ୍ଞାନବାପି ମସଜିଦ ରହିଛି । ଅଞ୍ଜୁମାନ ବ୍ୟବସ୍ଥା ଇନ୍ତଜାମିଆ କମିଟି ଦ୍ୱାରା ମସଜିଦର କାମ କରାଯାଇଥାଏ । ଏହି ମସଜିଦରେ ମୁସଲିମ ସମ୍ପ୍ରଦାୟର ଲୋକେ ନମାଜ ପାଠ ତଥା ପ୍ରାର୍ଥନା କରିଥାନ୍ତି । ୧୯୯୧ ମସିହାରେ, ବାରାଣାସୀର ସିଭିଲ ଜଜଙ୍କ କୋର୍ଟରେ ସମ୍ଭୁ ବିଶେଶ୍ୱର ଭଗବାନଙ୍କ ନାମରେ ଏକ ଆବେଦନ କରାଯାଇଥିଲା। ଏହି ଆବେଦନରେ ଦାବି କରାଯାଇଛି ଯେ ଜ୍ଞାନବାପି ମସଜିଦ ଅବସ୍ଥିତ ସ୍ଥାନରେ ପୂର୍ବରୁ ଏକ ମନ୍ଦିର ଥିଲା । ଯାହା ଶ୍ରୃଙ୍ଗାର ଗୌରୀଙ୍କ ପୂଜା କରାଯାଉଥିଲା।