ମଇ ୩୦ରେ କେରଳ ଛୁଇଁବ ମୌସୁମୀ
ହାଇଦ୍ରାବାଦ : ମଇ ୩୦ରେ କେରଳ ଛୁଇଁବ ମୌସୁମୀ। ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ ସମୟରେ କେରଳ ଛୁଇଁବ ଓ ସ୍ୱାଭାବିକ ବର୍ଷା ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି ।
ସ୍କାଏମେଟର ରିପୋର୍ଟ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୩୦ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହି ତାରିଖ ୨-୩ ଦିନ ଆଗପଛ ହୋଇପାରେ । କେରଳରେ ଯ଼ଦି ମେ ୩୦ରେ ମୌସୁମୀ ଛୁଏଁ ତେବେ ଓଡ଼ିଶା ଆସୁ ଆସୁ ଜୁନ ୮ ରୁ ୧୦ ତାରିଖ ହୋଇଯ଼ିବ । ଅର୍ଥାତ ରଜ ଉତ୍ସବ ବେଳକୁ ସମଗ୍ର ରାଜ୍ୟରେ ମୌସୁମୀ ପହଞ୍ଚିସାରିଥିବ । ପୁଣି ଏବର୍ଷ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ ରହିବ । ଏହା ୧୦୩ ପ୍ରତିଶତ ରହିବା ଆଶା କରାଯ଼ାଉଛି ଓ ଏଥିରେ ୫ ପ୍ରତିଶତ କମବେଶୀ ହୋଇପାରେ । ଏହା ସ୍ବାଭାବିକ ବର୍ଷା ଆଡ଼କୁ ଇଙ୍ଗିତ କରୁଛି ବୋଲି ସ୍କାଏମେଟ୍ କହିଛି । ସେହିପରି ଭାରତକୁ ମୌସୁମୀର ଆଗମନ ଉଭୟ ଆରବ ସାଗର ଓ ବଙ୍ଗୋପସାଗରର ସାମୁଦ୍ରିକ ପାଣିପାଗ ଉପରେ ନିର୍ଭର କରେ । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ପ୍ରଭାବ ଆସନ୍ତା ୨୨ ତାରିଖ ବେଳକୁ ଶେଷ ହୋଇଯ଼ାଇଥିବ । ତାହା ମୌସୁମୀ ବାୟୁର ଆଗମନକୁ ବିଶେଷ ପ୍ରଭାବିତ କରିବ ନାହିଁ ।