ଚଳିତ ସପ୍ତାହରେ ଭାରତ ଆସିବ ମଡେର୍ଣ୍ଣା ଟିକା
ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଭାରତ ଆସିବ ମହାମାରୀ କରୋନା ଭୂତାଣୁ ଉପରେ ୯୪% ପ୍ରଭାବୀ ମଡେର୍ଣ୍ଣା ଟିକା । ଆମେରିକାର ଫାର୍ମାସ୍ୟୁଟିକାଲ୍ ତଥା ବାୟୋଟେକ୍ନୋଲୋଜି କମ୍ପାନି ମଡେର୍ଣ୍ଣା ‘ଏମ୍ଆର୍ଏନ୍ଏ’ ପ୍ରଯୁକ୍ତିରେ ଏହି ଟିକା ବିକାଶ କରିଛି । ଆମେରିକାର କୋଭିଡ ଟିକାକରଣ ଅଭିଯାନରେ ଏହାକୁ ସାମିଲ କରାଯାଇଛି । ତେବେ ଭାରତରେ ଏହା ଆସି ପହଞ୍ଚିବା ପରେ ଏହାକୁ ଦେଶବ୍ୟାପୀ ସରକାରୀ ହସ୍ପିଟାଲଗୁଡ଼ିକୁ ଆବଣ୍ଟନ କରାଯିବ । ଏହି ଟିକା ଆମଦାନି ଲାଗି ଗତ ସପ୍ତାହରେ ଭାରତର ଔଷଧ ନିୟାମକ ସିପ୍ଲାକୁ ଅନୁମତି ଦେଇଥିଲା ।
ତୃତୀୟ ପର୍ଯ୍ୟାୟ ହ୍ୟୁମାନ୍ ଟ୍ରାଏଲ୍ରେ ମଡେର୍ଣ୍ଣା ଟିକା ୯୪% ପ୍ରଭାବୀ ପ୍ରମାଣିତ ହୋଇଛି । ସିଡିସି ରିପୋର୍ଟ ମୁତାବକ ମଡେର୍ଣ୍ଣା କିମ୍ବା ଫାଇଜର ଟିକାର ଗୋଟିଏ ଡୋଜ୍ ସଂକ୍ରମଣ ବିରୋଧରେ ୮୦% ପ୍ରଭାବୀ ସାବ୍ୟସ୍ତ ହେଉଛି । ସେହିଭଳି ଟିକାଦ୍ୱୟର ଦ୍ୱିତୀୟ ଡୋଜ୍ ଦିଆଯିବାର ଦୁଇ ସପ୍ତାହ ପରେ ଏହାର ପ୍ରଭାବ ୯୦%କୁ ବୃଦ୍ଧି ପାଉଛି ।