କରୋନା ରୋଗୀଙ୍କୁ ବେଡ ଯୋଗାଇଦେବାକୁ କହି ଲାଞ୍ଚ ନେବା ବେଳେ ଗିରଫ ହେଲେ ପୁରୁଷ ନର୍ସ
ରାଜସ୍ଥାନ : ଭାରତରେ ଘାତକ ହେବାରେ ଲାଗିଛି ସଂକ୍ରମଣ । ଦେଶରେ ଏଭଳି ବିପଦ ସମୟରେ କେହି କେହି ନିଜର ଜୀବିକା ଛାଡି ଅନ୍ୟର ଜୀବନ ବଞ୍ଚାଇବାକୁ ଆଗେଇ ଆସୁଛନ୍ତି । ଠିକେ ଏତିକିବେଳେ ମାତିଛନ୍ତି କିଛି ଅସାଧୁ ଓ ଖଳ ପ୍ରକୃତିର ଲୋକେ । କିଛିଦିନ ତଳେ ଜଣେ ଆମ୍ୱୁଲାନ୍ସ ଡ୍ରାଇଭର ରୋଗୀଙ୍କ ସ୍ଥାନାନ୍ତର ପାଇଁ ନେଇଥିଲା ୧.୨୦ ଲକ୍ଷ ଟଙ୍କା । ଠିକି ସେହିଭଳି ରାଜସ୍ଥାନ ଜୟପୁରରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଏଠାରେ ଜଣେ କରୋନା ରୋଗୀଙ୍କ ବେଡ ଯୋଗାଇଦେବାକୁ କହି ଲାଞ୍ଚ ନେଇଛନ୍ତି ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ ପୁରୁଷ ନର୍ସ । ଆଇସିୟୁ ବେଡ୍ କରାଇଦେବାକୁ କହି ନେଇଛନ୍ତି ୧ ଲକ୍ଷ ୩୦ ହଜାର ଟଙ୍କା । ତେବେ ପରିତାପର ବିଷୟ କି ପୀଡିତଙ୍କ ପରିବାର ନିକଟରେ ଏତେ ଅର୍ଥ ଏକାସଂଗେ ଯୋଗାଡ କରିବା ସମ୍ଭବ ନିଥିଲା । ସେଥିପାଇଁ ସେମାନେ କିସ୍ତିରେ ଦେବା ପାଇଁ ଅଭିଯୁକ୍ତ ନର୍ସଙ୍କୁ କହିଥିଲା । ତେବେ ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ରାଜ୍ୟ ଭ୍ରଷ୍ଟାଚାର ନିରୋଧ ବ୍ୟୁରୋ ଉକ୍ତ ନର୍ସକୁ ଘଟଣା ସ୍ଥଳରୁ ହିଁ ଗିରଫ କରିଛି ।
ଅଭିଯୁକ୍ତ ପୁରୁଷ ନର୍ସ ଜଣଙ୍କ ହେଉଛନ୍ତି ଅଶୋକ କୁମାର ଗୁର୍ଜର । ସେ ଜୟପୁରର ମେଟ୍ରୋ ମାସ୍ ହସ୍ପିଟାଲରେ ନର୍ସ ଭାବରେ କାର୍ଯ୍ୟ କରୁଥିଲେ । ପୋଲିସ ମହାନିର୍ଦ୍ଦେଶକ ବି.ଏଲ୍ ସୋନିଙ୍କ କହିବା ଅନୁଯାୟୀ, ରାଜସ୍ଥାନ ୟୁନିଭରସିଟି ଅଫ ହେଲଥ ସାଇନ୍ସରେ ଆଇସିୟୁ ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଅଭିଯୁକ୍ତ କୋଭିଡ ରୋଗୀଙ୍କ ପରିବାରରୁ ୧.୩୦ ଲକ୍ଷ ଟଙ୍କା ମାଗିଥିଲେ । ଗୁର୍ଜର ଏଯାବତ୍ ଅଭିଯୋଗକାରୀଙ୍କ ଠାରୁ ୯୫ ହଜାର ଟଙ୍କା ନେଇ ସାରିଛନ୍ତି । ତେବେ ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ କରି ଅଭିଯୁକ୍ତକୁ ଗିରଫ କରାଯାଇଛି ।