ଦୀର୍ଘ ପ୍ରତୀକ୍ଷାର ଅନ୍ତ ; ଆଜିଠୁ ଜୟପୁରକୁ ବିମାନସେବା
ଜୟପୁର : ଦୀର୍ଘ ପ୍ରତୀକ୍ଷାର ଅନ୍ତ । ଦୀର୍ଘବର୍ଷର ଦାବି ପରେ କୋରାପୁଟ ଜିଲା ପ୍ରଶାସନର ନିରନ୍ତର ପ୍ରୟାସକ୍ରମେ ଆଜିଠୁ ଜୟପୁର ବିମାନ ବନ୍ଦରରୁ ବିମାନ ଚଳାଚଳ (ନନ ସିଡ୍ୟୁଲ୍ଡ ସେବା) ଆରମ୍ଭ କରିବ ବୋଲି ସୂଚନା ମିଳିଛି । ଇଣ୍ଡିଆ ୱାନ ଏୟାର ନାମକ ବିମାନ ନଂ ୧୭୯୧୩୩ ଭୁବନେଶ୍ବରରୁ ପୂର୍ବାହ୍ଣ ୧୦ଟାରୁ ବାହାରି ଜୟପୁରରେ ୧୧.୩୫ରେ ପହଞ୍ଚିବ। ସେହିପରି ଜୟପୁରରୁ ଏହି ବିମାନ ନଂ ୧୭୯୧୩୪ଟି ୧୨ଟା ୨୦ରୁ ବାହାରି ଭୁବନେଶ୍ବରରେ ୧.୫୫ ମିନିଟରେ ପହଞ୍ଚିବ ବୋଲି ସୂଚନା ମିଳିଛି । ତେବେ ଏହି ବିମାନ (୯ ଆସନ ବିଶିଷ୍ଟ) ଚଳାଚଳକୁ ନନ ସିଡ୍ୟୁଲ୍ଡ ବର୍ଗ (ଆଡହକ)ରେ ରଖାଯାଇଥିବା ସୂଚନା ମିଳିଛି । ଅର୍ଥାତ ଏହା ନିୟମିତ ଭାବେ ଚଳାଚଳ କରିବ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ସୂଚନା ଯେ, ବୁଧବାର ଭୁବନେଶ୍ୱର ବିମାନ ବନ୍ଦରରରୁ ସରୋଜ ସାହୁଙ୍କ ନେତୃତ୍ୱରେ ଏକ ଟିମ ଆସି ଜୟପୁରରେ ପହଞ୍ଚିଥିବା ଜଣାପଡ଼ିଛି । ଗତ ଜୁଲାଇ ୨୧ ଓ ୨୨ରେ ଦିଲ୍ଲୀରୁ ତିନିଜଣିଆ ଜଣିଆ ଟିମ ଆସି ଜୟପୁର ବିମାନବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କରି ଯାଇଥିଲେ । ବିମାନବନ୍ଦରର ଆଉ କିିଛି କାର୍ଯ୍ୟକୁ ସଜାଡିବାକୁ ଡିଜିସିଏ ଟିମ ପରାମର୍ଶ ଦେଇଥିଲେ । ଏହା ପରେ ଉଡାଣ ଯୋଜନାରେ ଜୟପୁରରୁ ଉଡାଣ କରିବା ପାଇଁ ଚୁକ୍ତି କରିଥିବା ଇଣ୍ଡିଆ ୱାନ ଏୟାର କମ୍ପାନୀ ପକ୍ଷରୁ ଏଭଳି ପରୀକ୍ଷଣ କରାଯାଉଥିବା ସୂଚନା ମିଳିଛି ।
ପ୍ରକାଶଥାଉକି ଗତବର୍ଷ ଠାରୁ ବିମାନବନ୍ଦର କାର୍ଯ୍ୟ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ଶେଷ ହୋଇନାହିଁ । କାମ ବହୁ ବିଳମ୍ବରେ ଚାଲିଛି । ତଥାପି କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ଆଜିଠୁ ଏହି ବିମାନ ସେବା ଆରମ୍ଭ କରିବାକୁ ଯାଉଥିବା ଜଣାଯାଇଛି । ଏବେ ବି ବିମାନ ବନ୍ଦରର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏହି ବିମାନ ସେବା ନିୟମିତ ହେବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଉଛି । ଦୁଇ ଚାରିଦିନ ହେଲା ବିମାନ ବନ୍ଦରରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ କୋରାପୁଟ ଜିଲାବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି । ଏପରିକି ଆଗ୍ରହୀ ବିମାନ ଯାତ୍ରୀ ବିମାନ ବନ୍ଦରରେ ପହଞ୍ଚି ସିଧାସଳଖ ଟିକଟ କ୍ରୟ କରିପାରିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବିମାନସେବା ନେଇ କୋରାପୁଟ ଜିଲାପାଳ ଅବ୍ଦାଲ ଏମ. ଅଖତରଙ୍କ ପ୍ରତିକ୍ରିୟା ନେବାରୁ ସେ ବିମାନସେବାକୁ ସ୍ବୀକାର କରିଥିଲେ ହେଁ ଏହା କେବେଠାରୁ ନିୟମିତ ଉଡ଼ାଣ ଭରିବ ସେ ନେଇ ସ୍ପଷ୍ଟ ଭାବେ କିଛି କହିନାହାନ୍ତି ।