ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଲଜ ଛାଡ଼ିଲେ ପୋଲିସ କର୍ମଚାରୀ
କଟକ : ଗ୍ୟାଙ୍ଗଷ୍ଟର ହାଇଦରର ପଇସାରେ ପୋଲିସ ବାବୁମାନେ ମଉଜ କରୁଥିବା ନେଇ ଜଣାପଡିବା ପରେ ଆରମ୍ଭ ହୋଇଛି ଖୋଳତାଡ । ଫଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଅହଲ୍ୟା ଲଜ ଛାଡ଼ିଲେ ସମସ୍ତ ପୋଲିସ କର୍ମଚାରୀ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଲଜ ଛାଡ଼ିଛନ୍ତି ସମ୍ବଲପୁରରୁ ଆସିଥିବା ପୋଲିସ । ଗତ ୨୩ ତାରିଖରୁ ଏସସିବିକୁ ହାଇଦର ଆସିବା ପରେ ସେହି ଦିନ ଠାରୁ ଲଜରେ ରହି ଅୟସ କରୁଥିଲେ ପୋଲିସ କର୍ମଚାରୀ ।
ହାଇଦରକୁ ଏସସିବିରେ ୬ ଜଣ ପୋଲିସ ୨୪ ଘଣ୍ଟା ଜଗିବା ବଦଳରେ ଯେଉଁ ଲଜରେ ରହି ମଉଜ କରୁଥିଲେ ସେସବୁ ତଥ୍ୟ ସାମ୍ନାକୁ ଆସିଛି । ଲଜର ପଞ୍ଜୀକରଣ ରେଜିଷ୍ଟର୍ମ ଏବେ ସାମ୍ନାକୁ ଆସିଛି । ମଙ୍ଗଳାବାଗ କାଠଗୋଲା ସାହିର ଅହଲ୍ୟା ଲଜରେ ଗଲା ମାର୍ଚ୍ଚ ୨୩ ତାରିଖରୁ ଦୁଇଟି ରୁମ୍ କନଷ୍ଟେବଳ ମହମ୍ମଦ ମୌସିମ୍ ଓ ଉମାକାନ୍ତ ବେହେରାଙ୍କ ନାଁରେ ବୁକ୍ ହୋଇଥିଲା । ଲଜରେ ରୁମ୍ ବୁକ୍ କରିବାକୁ ଏହି ପୋଲିସ କର୍ମଚାରୀ ପରିଚୟପତ୍ରର ଜେରକ୍ସ କପି ଲଜରେ ଦାଖଲ କରିଥିଲେ । ଲଜ୍ ଭଡ଼ା ବାବଦକୁ ଏମାନେ ଟଙ୍କା ବି ଜମା କରିଛନ୍ତି । ତେବେ ଏହି ଟଙ୍କା ଗ୍ୟାଙ୍ଗଷ୍ଟର ହାଇଦର ବହନ କରିଥିବା ଜଣାପଡିଛି । ମଙ୍ଗଳାବାଗ ଥାନା ପୋଲିସ ଅହଲ୍ୟା ଲଜରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଜବତ କରି ଏହାର କର୍ମଚାରୀଙ୍କୁ ଏବେ ଜେରା କରୁଛି ।