କୁଲଡ଼ିହା ଅଭୟାରଣ୍ୟରେ ପୁଣି ନିଆଁ
ଜଳୁଛି ଜଙ୍ଗଲ, ପୋଡ଼ି ପାଉଁଶ ହୋଇଯାଉଛି ହଜାର ହଜାର ବୃକ୍ଷଲତା
ବାଲେଶ୍ୱର : ଘଞ୍ଚ ସବୁଜ ଜଙ୍ଗଲ ପ୍ରକୃତିର ଗନ୍ତାଘର ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ କିଛିଦିନ ତଳେ ଲାଗିଥିବା ନିଆଁକୁ ଲିଭାଇ ଦିଆଯାଇଥିବା ବେଳେ ପୁଣି ଥରେ ନିଆଁରେ ଦାଉ ଦାଉ ହୋଇ ଜଳୁଛି ପାହାଡ଼ ମଧ୍ୟରେ ଥିବା ଜଙ୍ଗଲ । ବନବିଭାଗର ପ୍ରୟାସ ପରେ ଜଙ୍ଗଲର ନିଆଁ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ପ୍ରତିଦିନ ଏକର ଏକର ଜମିରେ ଥିବା ଗଛଲତା ନଷ୍ଟ ହେଉଥିବା ବେଳେ ବନ୍ୟସମ୍ପଦ ଉଜୁଡ଼ିବା ସହିତ ସରୀସୃପ, ଜୀବଜନ୍ତୁ ବିପଦରେ । ତିନିଦିନ ହେବ ବଢୁଥିବା ନିଆଁକୁ ରୋକିପାରୁନି ବନବିଭାଗ । କେଉଁ କାରଣରୁ ଏକ ସମୟରେ ଏସବୁ ଜଙ୍ଗଲ ଜଳୁଛି ତାହା ଜଣାପଡ଼ି ନଥିଲେ ମଧ୍ୟ ଏହି ନିଆଁ ଦିନକୁ ଦିନ ଭୟଙ୍କର ଆକାର ନେବାରେ ଲାଗିଛି । ଏଥିସହିତ ପରିବେଶ ପ୍ରଦୂଷଣ ଓ ତାପମାତ୍ରା ବୃଦ୍ଧିର କାରଣ ମଧ୍ୟ । ଏଥିରୁ ବାଦ୍ ପଡ଼ି ନାହିଁ ଉତ୍ତରଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ସଂଲଗ୍ନ ତଥା ଦେବଗିରି ପାହାଡ଼ର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ହେତୁ ÷ଅଭୟାରଣ୍ୟ ପାଦଦେଶ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଭୟରେ ଆତଙ୍କିତ ରହୁଛନ୍ତି । ନିଆଁର ଏହିପରି ଉଗ୍ର ରୂପ ଦେଖି ବୁଧବାର ସନ୍ଧ୍ୟାରେ କିଛି ଯୁବକ ଏକତ୍ରିତ ହୋଇ ନିଆଁ ଲିଭାଇବାରେ ସହଯୋଗ କରିଥିଲେ । ଏଭଳି ନିଆଁ ତାଣ୍ଡବ ଦେଖିବା ପରେ ବନବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜି ସୁଦ୍ଧା ନିଆଁ ଆୟତ୍ତ ହୋଇ ନଥିବା ବେଳେ ଗୋଟିଏ ପାହାଡ଼ରୁ ଅନ୍ୟ ଏକ ପାହାଡ଼ର ଅଗ୍ର ଭାଗକୁ ନିଆଁ ବ୍ୟାପି ଚାଲିଥିବା ଦେଖିବାକୁ ମିଳିଛି ।
ଏନେଇ ବାଲେଶ୍ୱର ଏସିଏଫ୍ଓ ଶରତ ଚନ୍ଦ୍ର ବେହେରାଙ୍କୁ ସେ କହିଥିଲେ ବର୍ଷା ନାହିଁ, ଗରମ ବଢ଼ିଯାଇଛି । ଦିନରେ ନିଆଁ ଲିଭାଇବା ସମ୍ଭବ ହେଉ ନାହିଁ । ଅପରାହ୍ନ ୪ଟାରେ ପରେ କର୍ମଚାରୀଙ୍କୁ ବିଭିନ୍ନ ଅଞ୍ଚଳକୁ ପଠାଇ ନିଆଁ ଲିଭାଇବା ପାଇଁ ନିୟୋଜିତ କରିବା ସହ ସୀମାନ୍ତ ଗାଁର ଅଧିକ ଲୋକଙ୍କୁ ନେଇ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ କରାଯିବ ବୋଲି କହିଥିଲେ ।