ଆସନ୍ତାକାଲି ଠାରୁ ୧୪ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କଲେ କର୍ଣ୍ଣାଟକ ସରକାର
ବେଙ୍ଗାଲୁରୁ : କରୋନା ଭାଇରସ୍ର ମୁକାବିଲା ପାଇଁ ଶେଷରେ କର୍ଣ୍ଣାଟକ ସରକାର ମେ ୧୦ରୁ ରାଜ୍ୟବ୍ୟାପୀ ସଂପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କହିଛନ୍ତି, ରାଜ୍ୟରେ କରୋନା ପ୍ରପୋକ ଲଗାତାର ବଢିବାରେ ଲାଗିଛି। କର୍ଫ୍ୟୁ ପରେ ବି ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଫଳରେ ଏବେ ମେ ୧୦ ସକାଳ ୬ଟାରୁ ମେ ୨୪ ସକାଳ ୬ଟା ଯାଏଁ ରାଜ୍ୟରେ ସଂପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମୟରେ ଲକ୍ଡାଉନ୍ ସମୟରେ ରାଜ୍ୟରେ ସମସ୍ତ ହୋଟେଲ୍, ପବ୍, ବାର ବନ୍ଦ ରହିବ। ଜରୁରୀକାଳୀନ ସେବା ଜାରି ରହିବା ସହ ମାଛ, ମାଂସ, ଅଣ୍ଡା, କ୍ଷୀର ଏବଂ ପନିପରିବା ଦୋକାନ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।
ସୂଚନା ଯେ, କର୍ଣ୍ଣାଟକରେ ଗୁରୁବାର କରୋନା ଭାଇରସ୍ର ନୂତନ ୪୯,୦୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୧୭ ଲକ୍ଷ ୯୦ ହଜାର ୧୦୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କରୋନାରେ ୩୨୮ ରୋଗୀଙ୍କ ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭,୨୧୨କୁ ବୃଦ୍ଧି ଘଟିଛି।