ଝାରଖଣ୍ଡ କଂଗ୍ରେସକୁ ଲାଗିବ ବଡ଼ ଝଟକା, ଭାଙ୍ଗିବ ମେଣ୍ଟ !
ନୂଆଦିଲ୍ଲୀ : କଂଗ୍ରେସ ସଙ୍କଟ ଶେଷ ହେବାର ନାଁ ନେଉନାହିଁ । ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାରରେ କଂଗ୍ରେସ ମଧ୍ୟ ସାମିଲ ଥିଲା । ବିଗତ ଦିନରେ ଏହି ସରକାର ଭାଙ୍ଗି ଯାଇଥିଲା । ବର୍ତ୍ତମାନ ପଡୋଶୀ ରାଜ୍ୟ ଗୋଆରେ ମୋଟ ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ବିଦ୍ରୋହ ମୁଡରେ ଦେଖାଯାଉଛି । ରବିବାର ଗୋଆ କଂଗ୍ରେସ କହିଛି, ଯେ ବିଜେପି ଗୋଆରେ ୧୧ ଜଣ ବିଧାୟକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶକୁ ଅଲଗା କରିବାକୁ ଚେଷ୍ଟା କରୁଛି । ଗୋଆ କଂଗ୍ରେସ ପ୍ରଭାରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, କଂଗ୍ରେସ ନେତା ମାଇକେଲ ଲୋବୋ ଓ ଦିଗମ୍ବର କାମତ ବିଜେପିକୁ ଦଳବଦଳ କରାଇବାରେ ସାହାଯ୍ୟ କରୁଛନ୍ତି । କଂଗ୍ରେସ ଲୋବୋଙ୍କୁ ଗୋଆର ବିରୋଧୀ ଦଳ ନେତା ପଦରୁ ହଟାଇ ଦେଇଛି ।
କିନ୍ତୁ କଂଗ୍ରେସ ସଙ୍କଟ କେବଳ ଗୋଆରେ ସୀମିତ ନୁହେଁ । ଝାଡଖଣ୍ଡରେ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ସମର୍ଥନରେ ଚାଲିଥିବା ହେମନ୍ତ ସୋରେନଙ୍କ ସରକାରକୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି । ଇଂରାଜୀ ଖବରକାଗଜ ଇକୋନୋମିକ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ସରକାରର ପତନ ପରେ ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ସରକାରକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି ।
ଇକୋନୋମିକ୍ ଟାଇମ୍ସ ଏହାର ରିପୋର୍ଟରେ ଲେଖିଛି ଯେ, ରାଷ୍ଟ୍ରପତି ନିର୍ବାଚନକୁ ନେଇ ହେମନ୍ତ ସୋରେନଙ୍କ ଆଭିମୁଖ୍ୟ କଂଗ୍ରେସଠାରୁ ଅଲଗା ଯାଉଛି । ଅନ୍ୟପଟେ ସେ କେନ୍ଦ୍ରୀୟ ଏଜେନ୍ସିର ଯାଞ୍ଚରେ ଘେରିବାରେ ଲାଗିଛି । ଦୁର୍ନୀତି ମାମଲାରେ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ସ୍ଥାନରେ ଚଢ଼ାଉ କରାଯାଇଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୋଇଲା ଖଣି ଆବଣ୍ଟନ ଅଭିଯୋଗରେ ନିର୍ବାଚନ ଆୟୋଗ ଓ କୋର୍ଟରେ ଅଯୋଗ୍ୟତା ଯାଚିକା ଦାଖଲ କରାଯାଇଛି । ତେବେ ଝାଡଖଣ୍ଡର ଶାସକ ମେଣ୍ଟ ସବୁ ଠିକ୍ ଅଛି ବୋଲି ଦେଖାଇବାକୁ ଚେଷ୍ଟା କରୁଛି । କିନ୍ତୁ ଦିଲ୍ଲୀ ଓ ରାଞ୍ଚିରେ ରାଜନୈତିକ ଗୋଳିରେ ହେମନ୍ତ ସୋରେନଙ୍କ ଅଢ଼େଇ ବର୍ଷ ପୁରୁଣା ସରକାରଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପାଇଁ ଗଳାର ଫାସ ହୋଇପଡ଼ିଛି । କାରଣ ସେ ଜଣେ ସାନ୍ଥାଲ ଆଦିବାସୀ । ହେମନ୍ତ ସୋରେନ ମଧ୍ୟ ଏକ ସାନ୍ଥାଲ ଆଦିବାସୀ । ଦ୍ରୌପଦୀ ମୁର୍ମୁ ମଧ୍ୟ ଝାଡଖଣ୍ଡର ରାଜ୍ୟପାଳ ରହିଥିଲେ ।