ବାରିପଦା : ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ
ବାରିପଦା : ଓଡ଼ିଶାର ସ୍ୱାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ପିଆରଏମ୍ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟର ଶୁଭ ଉଦ୍ଘାଟନ ଏବଂ ଶିଳାନ୍ୟାସ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ, ଜଳ ଯୋଗାଣ, ଆଇନ, ଗୃହ ଓ ନଗର ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ ଉତ୍ସବରେ ଯୋଗ ଦେବା ସହ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ରୂପଭାନୁ ମିଶ୍ର, ସାଂସଦ ମମତା ମହାନ୍ତ, ବିଧାୟକ ରାଜକିଶୋର ଦାସ, ପୁର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କୃଷି ନିଗମ ଅଧକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବା ସହିତ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ବିଜେଡିର ମହିଳା, ଯୁବ ଓ ଛାତ୍ରର ଶତାଧିକ କର୍ମକର୍ତ୍ତା କୋଭିଡ କଟକଣା ନିୟମ ମାନି ଉପସ୍ଥିତ ରହିଥିଲେ ।
ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ ରୋଗୀଙ୍କ ସହିତ ସାଧାରଣ ବର୍ଗର ରୋଗୀମାନେ ଆବଶ୍ୟକତା ଅନୁସାରେ ନିରବଚ୍ଛିନ୍ନ ଭାବରେ ଅକ୍ସିଜେନର ସୁବିଧା ପାଇପାରିବେ । ଏଠାରେ ଦୁଇ ପ୍ରକାର ଅକ୍ସିଜେନ ସୁବିଧା ଉପଲବ୍ଧ ହେବାର ବ୍ୟବସ୍ଥା ରହିଛି । ବାୟୁମଣ୍ଡଳରୁ ଅକ୍ସିଜେନ ସଂଗୃହୀତ (ଚାପ ଅ୍ୱଶୋଷଣ ବ୍ୟବସ୍ଥାରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ) ବ୍ୟବସ୍ଥା ଏବଂ ଲିକ୍ୟୁଡ ଅକ୍ସିଜେନ ସିଲିଣ୍ଡର (ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ) ଉଭୟ ସେବା ଏଠାରେ ଉପଲବ୍ଧ ହେବ । ଆଜି ଅପରାହ୍ନ ୫-୫୦ ମିନିଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି । ଏନେଇ ମୟୂରଭଞ୍ଜ ଜିଲ୍ଲାବାସୀ ଅନେକ ଆନନ୍ଦିତ ଥିବା ବେଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।