ଅମ୍ଳଜାନ ନେଇ କାନପୁରରେ ପହଂଚିଲା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ
ନୂଆଦିଲ୍ଲୀ : କୋଭିଡ଼-୧୯ର ଦ୍ୱିତୀୟ ଲହରରେ ହସ୍ପିଟାଲ ଗୁଡ଼ିକରେ ମେଡ଼ିକାଲ ଅମ୍ଳଜାନର ଭରଣା ପାଇଁ ଭାରତୀୟ ରେଲୱେ ମିଶନ ମୋଡ଼ରେ କାମ କରୁଛି । ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ରବିବାର ଦିନ ନିର୍ଦ୍ଧାରିତ ସମୟର ୩ ଘଂଟା ପୂର୍ବରୁ ନିଜ ଗନ୍ତବ୍ୟ ସ୍ଥଳରେ ପହଂଚିଛି । ରେଳବାଇର ଅତିରିକ୍ତ ମହାନିର୍ଦ୍ଦେଶକ ଡି.ଜେ ନାରାୟଣ କହିଛନ୍ତି ଯେ, ଏହି ଟ୍ରେନ ରବିବାର ଦିନ ୪ ଟି ଟ୍ୟାଙ୍କରରେ ୮୦ ମେଟ୍ରିକ୍ ଟନ୍ ତରଳ ଚିକିତ୍ସା ଅମ୍ଳଜାନ (ଏଲଏମଓ) ନେଇ ଆଜି ୧୦ଟା ୫ ମିନିଟରେ ଜିଏମସି ୟାର୍ଡ଼ କାନପୁରରେ ପହଂଚିଛି । ଏହା ପରେ ୧୦.୨୩ରେ ଅମ୍ଳଜାନ ଏକ୍ସପ୍ରେସକୁ ଆଇସିଡିଜିରେ ରଖାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟାର୍ଡ଼ରେ ଅମ୍ଳଜାନକୁ ବାହାର କରିବା ପାଇଁ ଦ୍ରୁତ ଗତିରେ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହା ପୂର୍ବରୁ ଆଜି ଭାରତୀୟ ରେଳର ଅନ୍ୟ ଏକ ଅମ୍ଳଜାନ ଏକ୍ସପ୍ରେସ୍ ଓଡ଼ିଶାରୁ ୪ ଟ୍ୟାଙ୍କରରେ ତରଳ ଚିକିତ୍ସା ଅମ୍ଳଜନା (ଏଲଏମଓ) ନେଇ ନାଗପୁରରେ ପହଂଚିଛି ।