ତେଲେଙ୍ଗାନାରେ ପ୍ରଥମ ପୁରୁଷ ସମଲିଙ୍ଗୀ ବିବାହ, ମିଳିଲା ପରିବାରର ଆର୍ଶୀବାଦ
ହାଇଦ୍ରାବାଦ : ତେଲେଙ୍ଗାନାରେ ପ୍ରଥମ ପୁରୁଷ ସମଲିଙ୍ଗୀ ବିବାହ। ମିଳିଲା ପରିବାରର ଆର୍ଶୀବାଦ । ସୁପ୍ରିଓ ଚକ୍ରବର୍ତ୍ତୀ ଏବଂ ଅଭୟ ଡାଙ୍ଗ ନାମକ ୨ଜଣ ଯୁବକ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ ଏହି ବିବାହରେ ଖୁସିଥିବାବେଳେ ସମାଜକୁ ଏ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଖୁସିରେ ରହିବାକୁ ହେଲେ କାହାର ଅନୁମତି ଦରକାର ନାହିଁ ବୋଲି କହିଛନ୍ତି ସୁପ୍ରିଓ । ତେଲେଙ୍ଗାନାରେ ସୁପ୍ରିଓ ଏବଂ ଅଭୟ ପ୍ରଥମ ପୁରୁଷ ସମଲିଙ୍ଗୀ ଦମ୍ପତି ବୋଲି କୁହାଯାଉଛି ।
ସୁପ୍ରିଓଙ୍କୁ ୩୧ ବର୍ଷ ହୋଇଥିବାବେଳେ ଅଭୟଙ୍କୁ ୩୪ ବର୍ଷ । ଉଭୟ ଶନିବାର ଦିନ ପରସ୍ପରକୁ ରିଙ୍ଗ ପିନ୍ଧାଇ ନିକଟସ୍ଥ ଏକ ରିସୋର୍ଟରେ ଆୟୋଜିତ ବିବାହ ଉତ୍ସବରେ ଶପଥ ନେଇଥିଲେ । ଏହି ବିବାହ ଉତ୍ସବ ୨ଦିନ ଧରି ଚାଲିଥିଲା । ଉଭୟଙ୍କ ପରିବାରରର ସମସ୍ତ ସଦସ୍ୟ ମଧ୍ୟ ଏହି ବିବାହରେ ଯୋଗ ଦେଇଥିଲେ । ପରମ୍ପରା ଅନୁଯାଇ ବିବାହ ପୂର୍ବରୁ ମେହେନ୍ଦୀ ଓ ସଂଗୀତ ମଧ୍ୟ ହୋଇଥିଲା । ସୂଚନା ଯେ, ସୁପ୍ରିଓ ଓ ଅଭୟ ହସ୍ପିଟାଲିଟି ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ୨୦୧୨ରେ ଏକ ଅନଲାଇନ୍ ଡେଟିଂ ଆପ ମାଧ୍ୟମରେ ଦୁହେଁ ସାକ୍ଷାତ ହୋଇଥିଲେ ଏବଂ ସେବେଠାରୁ ଏକାଠି ରହୁଥିଲେ । ତେବେ ଦେଶରେ ସମଲିଙ୍ଗୀ ବିବାହ ଆଇନଗତ ହେବା ପରେ ସେମାନେ ସେମାନଙ୍କର ବିବାହ ପଞ୍ଜିକରଣ କରିବେ ବୋଲି କହିଛନ୍ତି ସୁପ୍ରିଓ ।