ବାଲେଶ୍ୱର : ପ୍ରଥମ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ
ବାଲେଶ୍ୱର : ମହାମାରୀ କରୋନାରେ ଡରାଉଛି ଡେଙ୍ଗୁ । ବିଶେଷ କରି ରାଜଧାନୀ ଭୁବନେଶ୍ୱରବାସୀଙ୍କୁ ଛାଡ଼ୁନି ଡେଙ୍ଗୁ ଡର । ଏହାରି ମଧ୍ୟରେ ଡେଙ୍ଗୁମୁକ୍ତ ଜିଲା ବାଲେଶ୍ୱରରେ ଗୁରୁବାର ଜଣେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଜଣଙ୍କ ଜଣେ ମହିଳା ଓ ତାଙ୍କ ବୟସ ୩୦ ବର୍ଷ। ରେମୁଣା ଗୋଲେଇ ଅଞ୍ଚଳରେ ସେ ତାଙ୍କ ପରିବାର ସହ ଭଡ଼ାଘରେ ରହୁଥିବା ବେଳେ ଭୁବନେଶ୍ୱର ଶୈଳଶ୍ରୀ ବିହାର ନିକଟ ଇନଫୋସିଟି ଅଞ୍ଚଳରେ ରହି କାମ କରନ୍ତି। ଚିହ୍ନଟ ମହିଳାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର ଡେଙ୍ଗୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି। ସେପଟେ ଜିଲାରେ ଡେଙ୍ଗୁ ପ୍ରତିକାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସର୍ଭେ କାର୍ଯ୍ୟ ଏବଂ ସନ୍ଦିଗ୍ଧ ରୋଗୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ଜାରି ରହିଥିବା ଜିଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ ସୂଚନା ଦେଇଛନ୍ତି।