ଡ୍ରୋନ ଉଡ଼ାଇବା ପାଇଁ ନୂଆ ନିୟମ ଲାଗୁ କଲେ କେନ୍ଦ୍ର ସରକାର
- ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ନୂଆ ଡ୍ରୋନ ନିୟମ ଏହି କ୍ଷେତ୍ରରେ ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଷ୍ଟାର୍ଟ-ଅପଗୁଡିକ ସହ ଏହି କ୍ଷେତ୍ରରେ କାର୍ଯ୍ୟରତ ଯୁବପୀଢିଙ୍କୁ ନୂଆ ଡ୍ରୋନ ନିୟମ ବେଶ ସାହାଯ୍ୟ କରିବ ବୋଲି ସେ କହିଛନ୍ତି । ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ନୂଆ ଡ୍ରୋନ ନିୟମ ଏହି କ୍ଷେତ୍ରରେ ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ । ବିଶ୍ୱାସ ଓ ସ୍ୱପ୍ରମାଣନ ଉପରେ ଏହି ନିୟମ ଆଧାରିତ । ଏଥିରେ ଅନୁମୋଦନ, ଅନୁପାଳନ ଆବଶ୍ୟକତା ଓ ପ୍ରବେଶ ପ୍ରତିବନ୍ଧକକୁ ଅନେକାଂଶରେ ହ୍ରାସ କରାଯାଇଛି । ନୂଆ ଡ୍ରୋନ ନିୟମ ଷ୍ଟାର୍ଟ-ଅପଗୁଡିକ ସହ ସେହି କ୍ଷେତ୍ରରେ କାର୍ଯ୍ୟରତ ଯୁବପୀଢିଙ୍କୁ ବେଶ ସାହାଯ୍ୟ କରିବ । ଏହା ନବାଚାର ଓ ବ୍ୟବସାୟର ନୂଆ ସୁଯୋଗ ସୃଷ୍ଟି କରିବ । ନବାଚାର, ପ୍ରଯୁକ୍ତି ଓ ଇଞ୍ଜିନିୟରିଂରେ ଏହା ଭାରତର ସାମର୍ଥ୍ୟକୁ ବୃଦ୍ଧି କରି ଡ୍ରୋନ ହବରେ ପରିଣତ କରିବାରେ ସାହାଯ୍ୟ କରିବ ।”
ସୂଚନା ଯେ, କେନ୍ଦ୍ର ସରକାର ଗୁରୁବାର ଏକ ନୂତନ ଡ୍ରୋନ୍ ନୀତି ଘୋଷଣା କରିଛନ୍ତି । ଏହି ନୀତି ଅନୁଯାୟୀ ଡ୍ରୋନ୍ ଉଡାଇବା ଉପରେ ଅନେକ ନିୟମ ପରିବର୍ତନ କରାଯାଇଛି । ବିମାନ ଚଳାଚଳ ମନ୍ତ୍ରଣାଳୟ ବର୍ତମାନ ଡ୍ରୋନ୍ ଚଳାଇବା ପାଇଁ ନିୟମକୁ କୋହଳ କରି ଦେଇଛି । ନୂତନ ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂତନ ଡ୍ରୋନ୍ ନିୟମ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟ ଅପ୍ ଏବଂ ଆମର ଯୁବକମାନଙ୍କୁ ବହୁତ ସାହାଯ୍ୟ କରିବ । ଏହା ନୂତନତା ଏବଂ ବ୍ୟବସାୟ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ । ଏହା ଭାରତକୁ ଡ୍ରୋନ୍ ହବ୍ ତିଆରି ପାଇଁ ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଭାରତର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ।