ସରକାରୀ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ବସ୍ତି ଉପରେ ଚାଲିଲା ଡ୍ରୋଜର, ୧୨ପରିବାର ବେସାହାରା
ବସ୍ତିରୁ ବିଦ୍ୟୁତ୍ ବିଛିନ୍ନ କରାଗଲା
ବସ୍ତି ବାସିନ୍ଦା ମାନଙ୍କ ପାଇଁ ଅସ୍ଥାୟୀ ଶିବିର ନିର୍ମାଣ
ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯିବ ଜମପଟ୍ଟା
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦରମହକୁମା ମାର୍କୋଣାରେ ସରକାରୀ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ନୀଳକଣ୍ଠେଶ୍ୱର ମନ୍ଦିର ପାଶ୍ୱର୍ରେ ଥିବା ବସ୍ତି ଉପରେ ଚାଲିଲା ଡ୍ରୋଜର । ୧୨ଟି ପରିବାରଙ୍କୁ ଉଚ୍ଛେଦ କରାଯାଇଛି । ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଦୀର୍ଘଦିନ ଧରି ସରକାରୀ ଜମିରେ ରହୁଥିବା ଏହି ବସ୍ତି ବାସିନ୍ଦାମାନଙ୍କୁ ନିର୍ଦ୍ଦେଶ ସଂଖ୍ୟା ୭୩୪୪ମୂଳେ ଉଚ୍ଛେଦ କରାଯାଇଛି । ସାରକାରୀ ପ୍ରଶାସନ ଅଧିକାରୀ ରୂପେ ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ, ମାର୍କୋଣା ଆରଆଇ ସାରସୀ ମହାନ୍ତି ଓ ସିମୁଳିଆ ପୋଲିସ ସମେତ ଏକ ପ୍ଲାଟୁନ ଫୋର୍ସ ମୁତୟନ ଥିଲେ । ଶୀତ ଦିନରେ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯିବାରୁ ଏହି ବାସିନ୍ଦାମାନଙ୍କ ମଧ୍ୟରେ ଅସନ୍ତୋଷତା ପ୍ରକାଶ ପାଇଛି । ଅପରପକ୍ଷେ ପ୍ରଶାସନ ପକ୍ଷରୁ ପଲିଥିନ ଜରି ପକାଯାଇ ଏହି ବାସିନ୍ଦା ମାନଙ୍କ ପାଇଁ ଅସ୍ଥାୟୀ ଶିବିର ନିର୍ମାଣ କରାଯିବା ସହିତ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଛି । ସେହିପରି ବିଦ୍ୟୁତ୍ ବିଭାଗ ପକ୍ଷରୁ ସଂଯୋଗ ମଧ୍ୟ ବିଛିନ୍ନ କରାଯାଇଛି ।
ସୂଚନା ଯେ, ମାର୍କୋଣା ପଞ୍ଚାୟତ ରିଆ ମୌଜାର ଖାତା ନଂ. ୫୫୦, ଖସଡ଼ା ୧୬୮୪ରେ ଥିବା ୨ଏକର ୪୩ଡେସିମିଲ ଜମିରେ ଗତ ୨୩ବର୍ଷ ହେଲା ବିଭିନ୍ନ ୨୫ଟି ପରିବାରର ୧୫୦ଜଣ ଜନସାଧାରଣ ବସବାସ କରିଆସୁଥିଲେ । ଏଠାରେ ବସବାସ କରୁଥିବା ଅଧିକାଂଶ ବସ୍ତି ବାସିନ୍ଦା ଦୀନ ମଜୁରୀଆ ରୂପେ କାର୍ଯ୍ୟ କରି ପରିବାର ପୋଷଣ କରନ୍ତି । ପ୍ରତ୍ୟେକ ବର୍ଷ ତହସିଲ ପକ୍ଷରୁ ନୋଟିସ୍ ଜାରୀ କରାଯାଇ ଖଜଣା ଆଦାୟ କରାଯାଇ ଆସୁଥିଲା । ତେବେ ମନ୍ଦିର ନିକଟରେ ଏକ ସରକାରୀ ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବା ପାଇଁ ୧୨ଟି ପରିବାଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ନୋଟିସ୍ ଜାରୀ କରାଯାଇଥିଲା । ବିଭିନ୍ନ ଭୂମିହୀନମାନଙ୍କୁ ମାଗଣାରେ ସରକାରୀ ଜମି ଯୋଗାଇ ଦିଆଯିବା ପାଇଁ ମଧ୍ୟ ସୂଚନା ଦିଆଯାଇଥିଲା । ଅପରପକ୍ଷେ ମାର୍କୋଣା ଛକ ନିକଟରେ ରହି ଏହି ବସ୍ତିବାସିନ୍ଦା ମାନେ ବିଭିନ୍ନ ଶ୍ରମ କରି ପରିବାର ପୋଷଣ କରୁଥିବାରୁ ଦୂରସ୍ଥାନରେ ଦିଆଯାଉଥିବା ସରକାରୀ ଜମି ନେବାକୁ ଅମଙ୍ଗ ଥିଲେ । ଆର୍ଆଇ ସାରସୀ ମହାନ୍ତି କହନ୍ତି ଏମାନଙ୍କ ମଧ୍ୟରେ ୪ଜଣ ଭୂମିହିନ ଥିବା ସ୍ଥଳେ ଅନ୍ୟମାନଙ୍କର ବିଭିନ୍ନ ସ୍ଥାନରେ କିଛିକିଛି ଜମି ରହିଛି । ଅପରପକ୍ଷେ ଖୁବ୍ଶୀଘ୍ର ତଦନ୍ତ କରାଯାଇ ଉପଭୋକ୍ତାମାନଙ୍କୁ ଜମି ଯୋଗାଇ ଦିଆଯିବ ବୋଲି ତହସିଲଦାର ବିଶ୍ୱନାଥ ବିଶ୍ୱାଳ ସୂଚନା ଦେଇଛନ୍ତି ।