ଗ୍ରୀନ୍ କରିଡରରେ ସ୍ୱତନ୍ତ୍ର ବ୍ୟବସ୍ଥା : ଏୟାର ଆମ୍ବୁଲାନ୍ସରେ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ
ଭୁବନେଶ୍ୱର : କୋଭିଡ୍ରେ ଆକ୍ରାନ୍ତ ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କୁ ସ୍ୱତନ୍ତ୍ର ଏକମୋ ଚିକିତ୍ସା ପାଇଁ କୋଲକାତା ନିଆଯାଇଛି । ମଙ୍ଗଳବାର କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ଗ୍ରୀନ କରିଡରରେ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଇଥିଲା । ଏଠାରୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଛି । ଏୟାର ଆମ୍ବୁଲାନସ ଯୋଗେ ଦେବାଶିଷ ପାଣିଗ୍ରାହୀ କୋଲକାତା ମେଡିକୋ ସୁପର ସ୍ପେସାଲିଟି ହସ୍ପିଟାଲରେ ପହଂଚିବା ପରେ ତାଙ୍କର ଏକ୍ମୋ ଚିକିତ୍ସା ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ମଙ୍ଗଳବାର ଦିନ ଗୋଟାଏ ସମୟରେ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ଇକମୋ ବ୍ୟବସ୍ଥା ଥିବା ସ୍ୱତନ୍ତ୍ର ଆମ୍ୱୁଲାନ୍ସ ଯୋଗେ ଭୁବନେଶ୍ୱର ଏୟାରପୋର୍ଟ ନିଆଯାଇଥିଲା । ସେଠାରୁ ଏୟାର ଆମ୍ୱୁଲାନ୍ସରେ କୋଲକାତା ଅଭିମୁଖେ ଯାତ୍ରା କରିଥିଲେ ଦେବାଶିଷ । କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ପ୍ରେସ ଛକ ଓ ନଖରାଛକ ଦେଇ ଜାତୀୟ ରାଜପଥ ରାସ୍ତାରେ ଭୁବନେଶ୍ୱର ନିଆଯାଇଥିଲା । ଏହି ରୁଟର ଗୋଟିଏ ପାଖ ରାସ୍ତାକୁ ସମ୍ପୂର୍ଣ୍ଣ ଗ୍ରୀନ କରିଡର କରିଥିଲା କମିଶନରେଟ ପୋଲିସ ।