ହାଇତିରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୧,୪୧୯କୁ ବୃଦ୍ଧି
ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ହାଇତିରେ ଗତ ୧୪ ତାରିଖରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯାହା ଦେଶର ସାମାଜିକ ଓ ଅର୍ଥନୈତିକ ପରିସ୍ଥିତିକୁ ଦୋହଲାଇ ଦେଇଛି । ଭୂକମ୍ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୯୦୦ ଲୋକ ଆହତ ହୋଇଛନ୍ତି । ସେହିପରି ଆହତଙ୍କ ମଧ୍ୟରୁ ଶହ ଶହ ଲୋକ ଗୁରୁତର ଅଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଗତ ଶନିବାର ହାଇତିରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ଥିଲା । ପେଟିଟ ସହର ଠାରୁ ୮ କିଲୋମିଟର ଦୂର ଏବଂ ପୋର୍ଟ-ଓ-ପ୍ରିନ୍ସଠାରୁ ପାଖାପାଖି ୧୫୦ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୂକମ୍ପରେ ୩୭ ହଜାର ୩୧୨ ଘରକୁ କ୍ଷତି ପହଂଚାଇଛି । କିଛି ଘର ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । କିନ୍ତୁ ଅଧିକାଂଶ ଆଶିଂକ କ୍ଷତି ହୋଇଛି । ସେହିଭଳି ବହୁ ସଂଖ୍ୟାରେ ଚର୍ଚ୍ଚ, ହୋଟେଲ ଏବଂ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ଭାଙ୍ଗିଯାଇଛି । ହାଇତିର ପ୍ରଧାନମନ୍ତ୍ରୀ ଆରିଏଲ ହେନରୀ ଦେଶରେ ଜରୁରୀକାଳୀନ ଘୋଷଣା କରିଛନ୍ତି ।