ବଦଳିଲା ମଣିପୁର ବିଧାନସଭା ନିର୍ବାଚନ ତାରିଖ
ଫେବ୍ରୁଆରୀ ୨୮ ଏବଂ ମାର୍ଚ୍ଚ ୫ରେ ଭୋଟିଂ
ନୂଆଦିଲ୍ଲୀ : ମଣିପୁର ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ତାରିଖରେ ପରିବର୍ତନ କରିଛନ୍ତି ନିର୍ବାଚନ କମିଶନ । ମତଦାନ ପାଇଁ ନୂଆ ତାରିଖ ଘୋଷଣା ହୋଇଛି । ନୂଆ ଘୋଷଣା ଅନୁସାରେ, ଏଣିକି ଫେବ୍ରୁଆରୀ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୫ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ପୂର୍ବରୁ ନିର୍ବାଚନ ଆୟୋଗ ମଣିପୁର ନିର୍ବାଚନ ପାଇଁ ଫେବ୍ରୁଆରୀ ୨୭ ଏବଂ ମାର୍ଚ୍ଚ ୩ ତାରିଖ ଧାର୍ଯ୍ୟ କରିଥିଲେ । ନିର୍ବାଚନ ଆୟୋଗ ଏକ ବୟାନ ଜାରି କହିଛନ୍ତି, ‘ସ୍ଥାନୀୟ ସୂଚନା, ବିଭିନ୍ନ ଦଳର ଆବେଦନ, ପୂର୍ବର ଅନୁଭୂତି, ପ୍ରସ୍ତୁତି ଏବଂ ପରିସ୍ଥିତି ଉପରେ ଆଧାରିତ’ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ନିକଟରେ ପଞ୍ଜାବ ବିଧାନସଭା ପାଇଁ ମଧ୍ୟ ତାରିଖ ପରିବର୍ତନ କରିଥିଲେ । ଏହି ନିଷ୍ପତି ରାଜ୍ୟ ସରକାର ଏବଂ ରାଜନୈତିକ ଦଳର ଦାବି ପରେ କରାଯାଇଥିଲା । ମଣିପୁର ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ମଙ୍ଗଳବାର କଠୋର ହୋଇ କହିଥିଲେ, ନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟବହାର ଏବଂ ଧନ-ବଳର ଭୁଲ ବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ ।
ମଣିପୁରର ଭୌଗୋଳିକ ସ୍ଥିତି ସହିତ ଆତଙ୍କବାଦୀ ସଂଗଠନଗୁଡ଼ିକ ନିର୍ବାଚନ ଆୟୋଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଏହା ବ୍ୟତୀତ ଲାଇସେନ୍ସପ୍ରାପ୍ତ ବନ୍ଧୁକ ମଧ୍ୟ ରାଜ୍ୟରେ ଏକ ବଡ଼ ଆହ୍ୱାନ ବୋଲି କୁହାଯାଉଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ରାଜେଶ ଅଗ୍ରୱାଲଙ୍କ କହିବାନୁସାରେ, ଜାନୁଆରୀ ୮ରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ରାଜ୍ୟରେ ୧୫,୨୪୦ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜମା କରାଯାଇଛି । ଏଥିପାଇଁ ପୁଲିସ-ପ୍ରଶାସନ ନିରନ୍ତର ଉଦ୍ୟମ ଜାରି ରଖିଛି । ସେହିପରି ଏଠାରେ ଉଗ୍ରବାଦୀ ଗୋଷ୍ଠୀ ନିର୍ବାଚନ ଆୟୋଜନ ପାଇଁ ପ୍ରମୁଖ ସମସ୍ୟାର କାରଣ ପାଲଟିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ବର୍ତମାନ ୧୫-୨୦ ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ଅଛନ୍ତି । ମଣିପୁରରେ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଅଧିନିୟମ (ଏଫଏସପିଏ) କାର୍ଯ୍ୟକାରୀ ହେଉଛି । କିଛି ମାସ ପୂର୍ବେ ନାଗାଲାଣ୍ଡରେ ହୋଇଥିବା ଗୁଳିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ଉତର-ପୂର୍ବରେ ଏହାର ଅପସାରଣ ନେଇ ଦାବି ତୀବ୍ର ହୋଇଛି । ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ଅଧିକାଂଶ କ୍ଷେତ୍ରରେ ଏଫଏସପିଏ ହଟାଇବା ନେଇ କଂଗ୍ରେସ ପ୍ରତିଶ୍ରୁତି ଦେଇ ଆସୁଛି । ଏହାକୁ ନେଇ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏଭଳି ପରିସ୍ଥିତିରେ ନିର୍ବାଚନ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି ।