ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ୍ ଗଣତି
ନୂଆଦିଲ୍ଲୀ : ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ହେବ । ସେହି ରାଜ୍ୟଗୁଡ଼ିକ ହେଉଛି ଗୋଆ, ପଞ୍ଜାବ, ମଣିପୁର, ଉତରପ୍ରଦେଶ ଓ ଉତରାଖଣ୍ଡ । ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ଏଥି ସହିତ ଆସାମର ମାଜୁଲି ବିଧାନସଭା ଉପନିର୍ବାଚନ ଭୋଟ୍? ଗଣତି ହେବ । ସକାଳ ୮ଟାରେ ଭୋଟ୍ ଗଣତି ଆରମ୍ଭ ହେବ । ନିର୍ବାଚନ କମିଶନଙ୍କ ୱେବ୍ସାଇଟରେ ନିର୍ବାଚନ ଫଳାଫଳ ଉପଲବ୍ଧ ହେବ । ଭୋଟ୍ ହେଲ୍ପଲାଇନ୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ନିର୍ବାଚନ ଫଳାଫଳ ଜାଣି ହେବ ।
ଭୋଟ ଗଣତି କେନ୍ଦ୍ରଗୁଡ଼ିକରେ କରୋନା ନିୟମର କଡ଼ାକଡ଼ି ପାଳନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ପ୍ରତ୍ୟେକ ଭୋଟ ଗଣତି କେନ୍ଦ୍ରରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ସେମାନେ କରୋନା ନିୟମ ପାଳନ ବ୍ୟବସ୍ଥା ତଦାରଖ କରିବେ । ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତୃପକ୍ଷ ଭୋଟ ଗଣତି କେନ୍ଦ୍ରଗୁଡ଼ିକୁ ସୁରକ୍ଷା ସାର୍ଟିଫିକେଟ୍ ପ୍ରଦାନ କରିବେ । କରୋନା ସୁରକ୍ଷା ନିୟମ ଅନୁଯାୟୀ ଆରଟି-ପିସିଆର କିମ୍ବା ଆଂଟିଜେନ୍ ପରୀକ୍ଷା କରିନଥିବା କୌଣସି ପ୍ରାର୍ଥୀ କିମ୍ବା ଏଜେଂଟଙ୍କୁ ଭୋଟ୍ ଗଣତି କେନ୍ଦ୍ର ମଧ୍ୟକୁ ଯିବାକୁ ଅନୁମତି ଦିଆଯିବ ନାହିଁ । କିନ୍ତୁ ଦୁଇଟିଯାକ ଟିକା ନେଇଥିବା ପ୍ରାର୍ଥୀ କିମ୍ବା ଏଜେଂଟ ଭୋଟ୍ ଗଣତି କେନ୍ଦ୍ରକୁ ଯାଇପାରିବେ । ଭୋଟ ଗଣତି କେନ୍ଦ୍ର ବାହାରେ ଜନସମାବେଶ ଉପରେ ନିର୍ବାଚନ କମିଶନ ନିଷେଧାଜ୍ଞା ଲାଗୁ କରିଛନ୍ତି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ବଡ଼ବଡ଼ କୋଠରିରେ ଭୋଟ୍ ଗଣତି କରାଯିବ । ଗୋଟିଏ ଭୋଟ୍ ଗଣତି କେନ୍ଦ୍ରରେ ୭ଟିରୁ ଅଧିକ ଗଣତି ଟେବୁଲ ପକାଯିବ ନାହିଁ । ଭୋଟ୍? ଗଣତି ପୂର୍ବରୁ କେନ୍ଦ୍ର ଗୁଡ଼ିକୁ ଭୂତାଣୁମୁକ୍ତ କରାଯିବ । ଇଭିଏମ ଓ ଭିଭିପାଟଗୁଡ଼ିକୁ ମଧ୍ୟ ସାନିଟାଇଜ୍ ଓ ଭୂତାଣୁମୁକ୍ତ କରାଯିବ । ଭୋଟ୍ ଗଣତି କେନ୍ଦ୍ର ମଧ୍ୟରେ କେତୋଟି ଟେବୁଲ ପଡ଼ିପାରିବ, ତାହା କୋଠରିର ଆକାର ଉପରେ ନିର୍ଭର କରିବ ବୋଲି ଜଣାପଡିଛି ।
୧୯୬୭ ମସିହାରେ ପ୍ରଥମ ଥର ପାଇଁ ଆସିଥିଲା ଏକଜିଟ୍ ପୋଲ ବା ବୁଥ୍ ବାହୁଡା ମତାମତ । ସେବେଠାରୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଚାଲୁରହିଛି ଏକଜିଟ୍ ପୋଲ । ବୁଥ୍ ବାହୁଡା ମତ ବା ଏକଜିଟ୍ ପୋଲ ହେଉଛି, ଭୋଟ ଦେଇ ବାହାରକୁ ଆସିଥିବା ମତଦାତାଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କର ସାକ୍ଷାତକାର । ମତଦାତାଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥାଏ । ସେମାନଙ୍କ ଉତର ଅନୁଯାୟୀ ଏବଂ କେଉଁଭଳି ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ସେହି ଅନୁସାରେ ଏକଜିଟ୍ ପୋଲ୍ ପ୍ରସ୍ତୁତ କରାଯାଇଥାଏ । ଜନପ୍ରତିନିଧିତ୍ୱ ଆଇନ ୧୯୫୧ ଅନୁଯାୟୀ, ଧାରା ୧୨୬ଏ ଆଧାରରେ ମତଦାନ ସମୟରେ ଏଭଳି କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ଯେଉଁଥିରେ ମତଦାତା ପ୍ରଭାବିତ ହେବେ କିମ୍ବା ସେମାନଙ୍କୁ କୌଣସି କାରଣରୁ ନେଇ ଦ୍ୱନ୍ଦରେ ପଡିବେ । ସେଥିପାଇଁ ଭୋଟିଂ ପ୍ରକ୍ରିୟା ଶେଷ ହେବାର ଦେଢ ଘଂଟା ଯାଏଁ ଏଜ୍ଜିଟ୍ ପୋଲ ପ୍ରସାରଣ କରାଯାଇନଥାଏ । ଏକଜିଟ୍ ପୋଲ କୌଣସି ବୈଜ୍ଞାନିକ କିମ୍ବା ଅଧିକାଂଶ ଲୋକଙ୍କୁ ନେଇ କରାଯାଇନଥାଏ । ନିର୍ଦ୍ଧିଷ୍ଟି କିଛି ଲୋକଙ୍କୁ ନେଇ ବୁଥ୍ ବାହୁଡା ମତ ପ୍ରକାଶ କରାଯାଇଥାଏ । ସେହି ଆଧାରରେ ହିଁ ପ୍ରସ୍ତୁତ କରାଯାଇଥାଏ ଏକଜିଟ୍ ପୋଲ । କିନ୍ତୁ ଅନେକ ସ୍ଥାନରେ ଏକଜିଟ୍ ପୋଲକୁ ନେଇ ବିବାଦ ଦେଖାଦେଇଥାଏ । ଅନେକ ଦେଶରେ ଏହାକୁ ବନ୍ଦ କରିବାକୁ ଅପିଲ୍ ମଧ୍ୟ ହେଉଛି । କଡା ବିରୋଧ କରୁଛନ୍ତି ଜନସାଧାରଣ । ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ, ଏକଜିଟ୍ ପୋଲ କେତେ ସତ । କାରଣ ବିଭିନ୍ନ ସମୟରେ ଏକଜିଟ୍ ପୋଲର ଫଳାଫଳ ଏବଂ ମତଦାନ ଫଳାଫଳ ମଧ୍ୟରେ ଅନେକ ଫରକ ଦେଖିବାକୁ ମିଳିଥାଏ । ସେଥିପାଇଁ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୁଏ । ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୭୫ ପ୍ରତିଶତ ଏକଜିଟ୍ ପୋଲର ଆକଳନ ସଠିକ୍ ସାବ୍ୟସ୍ତ ହୋଇଥାଏ । ସେହିଭଳି ୨ ପ୍ରତିଶତଙ୍କ ସର୍ଭେ ରିପୋର୍ଟ ଆଭରେଜ୍ ହୋଇଥାଏ । ଏକଜିଟ୍ ପୋଲର କିଛି ଉଦାହରଣ ଦେଖିବାକୁ ଗଲେ, ୨୦୧୪ରେ ଗୋଟିଏ ଏଜେନ୍ସିର ଆକଳନ ଅନୁଯାୟୀ, ବିଜେପିକୁ ୨୯୧ ସିଟ୍ ଏବଂ ଏନ୍ଡିଏ ମେଂଟକୁ ମୋଟ ୩୪୦ ସିଟ୍ ମିଳିବ ବୋଲି ଆକଳନ କରିଥିଲା । ତେବେ ଫଳାଫଳ ଆସିବା ପରେ ବିଜେପିକୁ ଏକାକି ୨୮୨ ସିଟ୍ ମିଳିଥିବା ବେଳେ ଏନ୍ଟିଏ ମେଂଟକୁ ମିଳିଥିଲା ୩୩୬ ସିଟ୍ । ସେହିଭଳି ୨୦୧୯ରେ ଏକଜିଟ୍ ପୋଲ ଗୁଡିକର ଆଭରେଜ୍ ସିଟ୍ ବିଜେପିକୁ ୩୦୪ ମିଳିଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏନ୍ଡିଏ ବଦଳରେ ବିଜେପି ଏକାକି ପାଇଥିଲା ୩୦୩ ସିଟ୍ । ଏନଡିଏ ଖାତାକୁ ଯାଇଥିଲା ୩୫୧ ସିଟ୍ ।