ବାଲେଶ୍ୱର : ମଦ ଦୋକାନୀଙ୍କ ଲାଇସେନ୍ସ ଫି’ ଛାଡ଼ ନିଷ୍ପତ୍ତି ବିରୋଧରେ କଂଗ୍ରେସର ଦାବିପତ୍ର ପ୍ରଦାନ
ବାଲେଶ୍ୱର : ରାଜ୍ୟ ସରକାର ଗତ ୨୧ ତାରିଖରେ ମଦ ଦୋକାନୀମାନଙ୍କର ଲାଇସେନ୍ସ ଫି’ ଛାଡ଼ କରିବା ନେଇ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ପରେ ପ୍ରଦେଶ କଂଗ୍ରେସ କମିଟି ଏହାକୁ ବିରୋଧ ସ୍ୱରୂପ ସମସ୍ତ ଜିଲାରେ କଂଗ୍ରେସ ଦଳ ଜିଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ପରିପ୍ରେକ୍ଷୀରେ ସୋମବାର ବାଲେଶ୍ୱର ଜିଲା କଂଗ୍ରେସ କମିଟି ତରଫରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି ।
ରାଜ୍ୟସରକାର ରାଜ୍ୟରେ ନିଶା କାରବାରକୁ ପ୍ରତିଶ୍ରୁତି ଦେଇ ଗାନ୍ଧୀନୀତିର ଉଲ୍ଲଂଘନ କରୁଛନ୍ତି । ମଦ ଦୋକାନୀଙ୍କ ଲାଇସେନ୍ସ ଫି’ ଛାଡ଼ କରୁଛନ୍ତି କିନ୍ତୁ ସାଧାରଣ ଦୋକାନୀଙ୍କ ଋଣ ଛାଡ଼ କରୁ ନାହାନ୍ତି ବୋଲି କଂଗ୍ରେସ ଆରୋପ ଲଗାଇଛି । ମଦ ଦୋକାନୀ ଏବଂ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାର ଅଭିଯୋଗ ମଧ୍ୟ ଦଳ ଆଣିଛି । ଏହି ଲାଇସେନ୍ସ ଫି’ ଛାଡ଼ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଉପରୁ ଭାଟ୍ ହାର କମାଇଲେ ସାଧାରଣ ଲୋକେ ଉପକୃତ ହୁଅନ୍ତେ ବୋଲି କଂଗ୍ରେସ ଉଲ୍ଲେଖ କରିଛି । ପେଟ୍ରୋଲ, ଡିଜେଲ ଦର ଆକାଶ ଛୁଆଁ ଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ମଧ୍ୟ ଆକାଶଛୁଆଁ ରହୁଛି । ଯଦି ସରକାର କଂଗ୍ରେସ ଦଳର ଦାବିକୁ ନମାନି ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହନ୍ତି ତେବେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଦଳ ପକ୍ଷରୁ ଚେତାଇ ଦିଆଯାଇଛି । ଜିଲାପାଳଙ୍କୁ ଦାବିପତ୍ର ପ୍ରଧାନ କରାଯିବା ସମୟରେ ଜିଲା କୋଭିଡ୍ ସଂଯୋଜିକା ଅର୍ଚ୍ଚନା ନନ୍ଦୀ, ବରିଷ୍ଠ କଂଗ୍ରେସ ନେତା ଗୋପୀନାଥ ପାଢ଼ୀ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ମମତା କୁଣ୍ଡୁ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ପୂର୍ବତନ ଛାତ୍ର କଂଗ୍ରେସ ଉପସଭାପତି ଜୀବନ ମହାପାତ୍ର, ସୌରଭ ବେହେରା, ମୁକ୍ତି ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ ।