ଭର୍ଚୁଆଲରେ ଆଲୋଚନା କଲେ ଚୀନ୍ ଓ ଆମେରିକା ରାଷ୍ଟ୍ରପତି
ୱାଶିଂଟନ୍ : ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ଏକ ବୈଠକରେ ଯୋଗ ଦେଇଛନ୍ତି । ଆମେରିକାର ରାଷ୍ଟ୍ରପତି କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଏହା ହେଉଛି ସେମାନଙ୍କ ମଧ୍ୟରେ ପ୍ରଥମ ମୁହାଁମୁହିଁ ଆଭାସୀ ବୈଠକ ।
ବୈଠକ ପରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, କହିଛନ୍ତି ଆମେରିକା ଓ ଚୀନ ପରସ୍ପରର ସମ୍ମାନ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ପରସ୍ପରକୁ ସହଯୋଗ କରିବା ଉଚିତ । ଏକ ସ୍ଥିର ତଥା ଶାନ୍ତିପୂର୍ଣ୍ଣ ବିଶ୍ୱ ବାତାବରଣ ପାଇଁ ଚୀନ୍-ଆମେରିକା ବନ୍ଧୁତ୍ୱ ସଂପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କରୋନା ଓ ଜଳବାୟୁ ପରିବର୍ତନ ଭଳି ସମସ୍ୟାର ମୁକାବିଲା ପାଇଁ ମଧ୍ୟ ଚୀନ୍-ଆମେରିକା ସଂପର୍କ ଯଥେଷ୍ଟ ଗୁରୁତ୍ୱ ବହନ କରେ । ଆମେରିକା ରାଷ୍ଟ୍ରପତିଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ଜଣାପଡିଛି । ଏହା ଚୀନ୍-ଆମେରିକା ସଂପର୍କକୁ ଆଗକୁ ନେଇ ପାରିବ । ବିଶ୍ୱର ଦୁଇ ବୃହତ ଅର୍ଥନୀତି ଓ ଜାତିସଂଘ ନିରାପତା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଚୀନ୍ ଓ ଆମେରିକା ପରସ୍ପର ମଧ୍ୟରେ ସହଯୋଗ ଓ ଯୋଗାଯୋଗ ବୃଦ୍ଧି କରିବା ପ୍ରତି ଜିନ୍ପିଙ୍ଗ୍ ଗୁରୁତ୍ୱାରୋପ କରି କହିଛନ୍ତି, ଏହା ବିଶ୍ୱର ଶାନ୍ତି ଓ ବିକାଶକୁ ତ୍ୱରାନ୍ୱିତ କରିବ ।