କୋଭିଡ୍ ମୁକାବିଲା ପାଇଁ ୧୭ରେ ସର୍ବଦଳୀୟ ବୈଠକ ଡାକଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ କୋଭିଡର ଦ୍ଵିତୀୟ ଲହରୀ ସଂକ୍ରମଣ ଆତଙ୍କ ଖେଳାଏ ଦେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦୈନିକ ପ୍ରାୟ ୧୦ ହଜାର ତଳକୁ ଖସୁନି। ଏଭଳି ସଂକଟ ସମୟରେ ବିରୋଧୀଙ୍କୁ ବିଶ୍ୱାସକୁ ନେଇ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ମହାମାରୀର ମୁକାବିଲା କରିବାପାଇଁ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ୧୭ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ବିଧାନସଭା ସମ୍ମିଳନୀ କକ୍ଷରେ ସବୁ ଦଳର ବିଧାୟକମାନେ ଭାଗନେବା ପାଇଁ ବ୍ୟବସ୍ଥା କରାଯାଇଛି। ଖୁବ୍ଶୀଘ୍ର ବିଧାନସଭା ସଚିବାଳୟ ପକ୍ଷରୁ ସବୁ ବିଧାୟକମାନଙ୍କୁ ଏ ସଂକ୍ରାନ୍ତ ଚିଠି ପଠାଯିବ। ତେବେ ସର୍ବଦଳୀୟ ବୈଠକ କେବଳ ଔପଚାରିକତାରେ ସୀମିତ ନ ରହୁ ବୋଲି ବିରୋଧୀ ମତ ରଖିଛନ୍ତି।
ତଥ୍ୟ ଅନୁଯାୟୀ, ଆଲୋଚନାରେ ୧୪୬ ଜଣ ବିଧାୟକ ଭାଗ ନେବା ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରାଯାଇଛି। ଯଦି କୌଣସି ବିଧାୟକ ବିଧାନସଭା ସମ୍ମିଳନୀ କକ୍ଷକୁ ଆସି ନ ପାରିବେ, ତାହେଲେ ସେ ନିଜ ଜିଲ୍ଲା କିମ୍ବା ନିର୍ବାଚନମଣ୍ଡଳୀରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଭାଗ ନେଇ ନିଜ ଅଞ୍ଚଳରେ କୋଭିଡ୍ ମହାମାରୀର ପ୍ରକୋପ, ସ୍ବାସ୍ଥ୍ୟସେବା, ଔଷଧ, ଡାକ୍ତର, ନର୍ସ, ଅକ୍ସିଜେନ୍ ସୁବିଧା ଆଦି ଅଭାବ ଓ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିପାରିବେ। ଏହାସହିତ ଆଗକୁ କିପରି ଆହୁରି ଦକ୍ଷତା ଓ ସଫଳତାର ସହ ମହାମାରୀକୁ ସାମନା କରିହେବ, ସେ ନେଇ ସରକାରଙ୍କୁ ପରାମର୍ଶ ବି ଦେଇପାରିବେ।