ଚୋରା ଲୁହା ସ୍କ୍ରାପ, ଆଙ୍ଗେଲ କବାଡ଼ି ବ୍ୟବସାୟର ମୁଖ୍ୟ ଆସାମୀ କଳିଙ୍ଗ ନଗରରୁ ଗିରଫ
ଭୁବନ : ଭୁବନ ଥାନା ଅନ୍ତର୍ଗତ ନୟା ନୀଳକଣ୍ଠପୁରରୁ ଗତ ତା୨୯.୦୯.୨୦୨୨ ରିଖରେ ଭୁବନ ପୋଲିସ ଲୁହା ପାଇପ, ସ୍କ୍ରାପ, ଆଙ୍ଗେଲ ବୋଝେଇ ଏକ ଟ୍ରକ(ଓଆର୍ ୦୪ଏଫ୍-୨୦୩୯) ଜବତ କରି ଥାନାକୁ ଆଣିଥିଲା । ଏହି ଘଟଣାର ପ୍ରାଥମିକ ତଦନ୍ତ ପରେ ଭୁବନ ଥାନାରେ କେଶ ନଂ- ୪୩୦ ତା୨୨.୧୦.୨୦୨୨ ଦଫା-୧୨୦ ବି, ୩୭୯/୪୧୧/୪୬୫/୪୨୦/୩୪ ଆଇପିସି ଏବଂ ଧାରା ୧୯୬ ମୋଟର ଭେଇକିଲ ଆକ୍ଟରେ ମାମଲା ରୁଜ୍ଜୁ କରାଯାଇଥିଲା । ଏହି ମାମଲାରେ ସଂପୃକ୍ତ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମର ପ୍ରକାଶ କୁମାର ସ୍ୱାଇଁ ନାମକ ଜନୈକ ଅପରାଧୀ ପଳାୟନ କରି କୋର୍ଟରେ ଆତ୍ମସମର୍ପଣ କରିଥିଲା । ମାମଲାର ତଦନ୍ତରୁ ଜଣାପଡ଼ିଥିଲା ଯେ, ଉକ୍ତ ଚୋରା ଲୁହା ସ୍କ୍ରାପ, ଆଙ୍ଗେଲ ଓ ପାଇପ୍ ସବୁ କଳିଙ୍ଗନଗର ଅଂଚଳରୁ ଚୋରାରେ ଆଣି ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ । ଯାଜପୁର ଜିଲ୍ଲା କଳିଙ୍ଗନଗର ହେଉଛି ଚୋରା ଲୁହା ସ୍କ୍ରାପ, ଆଙ୍ଗେଲ କବାଡ଼ି କାରବାରର ମୁଖ୍ୟ ପେଣ୍ଠସ୍ଥଳୀ । ଭୁବନ ଥାନା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଏହି ଚୋରା ଲୁହାଲତା କବାଡ଼ି କାରବାରର ମୁଖ୍ୟ ଆସାମୀକୁ ଧରିବା ପାଇଁ ଦୀର୍ଘ ୩ ମାସ ହେଲା ଜାଲ ବିଛାଇଥିଲେ । ଗତକାଲି ଭୁବନ ଥାନା ତରଫରୁ କଳିଙ୍ଗନଗର ଅଂଚଳରେ ଚଢ଼ାଉ କରାଯାଇ ବେଆଇନ ସ୍କ୍ରାପ୍ ବେପାରର ମୁଖ୍ୟ କାର୍ପଟଦାର କଳିଙ୍ଗନଗର ଥାନା ଅନ୍ତର୍ଗତ ସାରଙ୍ଗପୁର ଗ୍ରାମ ପଂଚାୟତର ଖୁରୁଂଟି ଗ୍ରାମର ସୁଦର୍ଶନ ମଲ୍ଲିକଙ୍କ ପୁଅ ଦିବ୍ୟକାନ୍ତ ମଲ୍ଲିକ(୨୦)କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିଲା ଓ ଜାମିନ ନାମଂଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।