ପୂର୍ତ୍ତ ବିଭାଗର କାର୍ଯ୍ୟକୁ ତଦାରଖ କଲେ ମୁଖ୍ୟ ଯନ୍ତ୍ରୀ
କଟକ : ରାଜ୍ୟ ପୂର୍ତ୍ତ ବିଭାଗର କଟକ ଡିଭିଜନ ପକ୍ଷରୁ ଏବେ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଖୋଦ୍ ମୁଖ୍ୟ ଯନ୍ତ୍ରୀ ବୁଲି ଦେଖିବା ସହିତ ଟେଣ୍ଡରର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସଂପନ୍ନ କରିବା ପାଇଁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶନିବାର ଅପରାହ୍ନରେ ମୁଖ୍ୟ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର କଟକ ଆସି ଜାତୀୟ ରାଜପଥର ରେଲୱେ ଓଭର ବ୍ରିଜଠାରୁ ଯୋବ୍ରା ପର୍ଯ୍ୟନ୍ତ ଯାଇଥିବା ତାଳଦଣ୍ଡା କେନାଲର ଦୁଇ ପାଶ୍ୱର୍କୁ ତଦାରଖ କରିଥିଲେ । ଏହି କେନାଲ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ପୂର୍ତ୍ତ ବିଭାଗର ୫ଟି ସେତୁର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିବା ସହିତ ରାସ୍ତା କଡର ହାଇମାକ୍ସ ଲାଇଟ୍ର ସକ୍ରିୟତାକୁ ତଦାରଖ କରିଥିଲେ । ସେହିଭଳି କଟକ ପୂର୍ତ୍ତ ବିଭାଗ ପକ୍ଷରୁ ରାଣୀହାଟ ପୋଲ ପାଶ୍ୱର୍ରେ ନିର୍ମାଣାଧିନ ଟାୱାର, ତାଳଦଣ୍ଡା କେନାଲ ପାଶ୍ୱର୍ରୁ ମେଡିକାଲକୁ ସଂଯୋଗ କରାଯାଉଥିବା ନୂତନ ରାସ୍ତା, କେନାଲ କଡ ପଥର ପ୍ୟାକିଂ କାର୍ଯ୍ୟକୁ ବୁଲି ଦେଖିଥିଲେ । ସେହିପରି ବର୍ତ୍ତମାନର ଖରିଫ ଋତୁକୁ ଦୃଷ୍ଟିରେ ରଖି ଚାଷୀମାନଙ୍କର ତାଳଦଣ୍ଡା କେନାଲ ପାଣିର ଆବଶ୍ୟକ ହେଉଥିବାରୁ ନିର୍ମାଣାଧିନ ପୋଲ ତଳୁ ସମସ୍ତ ପାଇଲିଂ ସାମଗ୍ରୀ ଉଠାଇନେବା ପାଇଁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟ ଯନ୍ତ୍ରୀଙ୍କ ଏହି ତଦାରଖ ସମୟରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ପ୍ରଧାନ, ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ମାଝି, ସହକାରୀ ନିର୍ବାହୀ ଯନ୍ତ୍ରୀ ରଂଜନ କୁମାର ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୈାମେନ କୁମାର ସାହୁ, ସହକାରୀ ଯନ୍ତ୍ରୀ ଉମାକାନ୍ତ ବେହେରା, ରବି ରାଉତରାୟଙ୍କ ସମେତ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ସାହୁ ଉପସ୍ଥିତ ରହି ଚାଲୁଥିବା କାର୍ଯ୍ୟଧାରା ଉପରେ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।