ବାଲେଶ୍ୱର : ବାତ୍ୟା ‘ୟାସ୍’ର କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍
ବାଲେଶ୍ୱର : ବାତ୍ୟା ‘ୟାସ୍’ରେ ବିଶେଷ କରି ବାଲେଶ୍ୱର ଜିଲା ପ୍ରଭାବିତ ହୋଇଥିଲା। ବାଲେଶ୍ୱରରେ କ୍ଷୟକ୍ଷତିର ଆକଳନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍। କ୍ଷୟକ୍ଷତି ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ କେନ୍ଦ୍ରୀୟ ଟିମ୍। ଆଜି ଏନେଇ ଏସଆରସି ପିକେ ଜେନା ହୋଟେଲ ମେ ଫେୟାରରେ ଏକ ବୈଠକ କରିଥିଲେ। ଏଥିରେ ବାତ୍ୟା ୟସ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମକୁ ଅବଗତ କରାଯାଇଛି।
ସୂଚନା ଯେ, ବାତ୍ୟା ‘ୟାସ୍’ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ରବିବାର ସନ୍ଧ୍ୟାରୁ ଭୁବନେଶ୍ୱରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣଓ୍ୱାଲଙ୍କ ନେତୃତ୍ୱରେ ଏହି ଟିମ୍ ଆସିଛି। ଏହି ୭ ଜଣିଆ କେନ୍ଦ୍ରୀୟ ଟିମ୍ ଆଜିଠୁ ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ। ଆଜି ୪ ଟି ବାତ୍ୟା ପ୍ରଭାବିତ ଜିଲା ପରିଦର୍ଶନ କରିବ ଏହି ଟିମ୍ । ୨ ଭାଗରେ ବିଭକ୍ତ ହୋଇ ଏହି ଟିମ୍ ୨ ଟି ଲେଖାଁଏ ଜିଲ୍ଲା ଭିଜିଟ୍ କରିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଗସ୍ତରେ ଯିବ ଏହି ଟିମ୍। ଏହା ପରେ ରାଜ୍ୟ ସରକାରଙ୍କ ସହିତ ମଧ୍ୟ ଆଲୋଚନା କରିବେ । ୨ ଦିନର ଅନୁଧ୍ୟାନ ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ଏହି ଟିମ୍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କ୍ଷୟକ୍ଷତି ର ଆକଳନ କରିବା ପରେ ଟିମ୍ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ।