ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାଲେଶ୍ୱର : ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତଦେହଟିର ଗୋଡ଼ ମାଟିରେ ଲାଗିଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ । ମୃତକ ଜଣକ ହେଲେ ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ପଞ୍ଚରୁଖି ଗ୍ରାମର ୰ ବାଦଲ ଦଳାଇଙ୍କ ପୁତ୍ର ତପନ (୨୫) ।
ଶୁକ୍ରବାର ସକାଳେ ଲୋକେ ଜମିକୁ ଜଳ ମଡ଼ାଇବାକୁ ଯାଇଥିବା ବେଳେ ପୋଖରୀ ହୁଡ଼ାରେ ଥିବା ତେନ୍ତୁଳି ଗଛରେ ତପନର ମୃତଦେହ ଝୁଲୁଥିବାର ଦେଖିଥିଲେ । ଏନେଇ ପରିବାର ଲୋକଙ୍କୁ ଜଣାଇବା ସହିତ ବାଲିଆପାଳ ଥାନାକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୯ ।୨୧) ରୁଜୁ କରି ତଦନ୍ତ ଜାରି ରହିଥିବାର ବାଲିଆପାଳ ଥାନା ଏସ୍ଆଇ ରାମଚନ୍ଦ୍ର ପୁରୁଦୁଲ ପ୍ରକାଶ କରିଛନ୍ତି । ସୂଚନା ଯେ, ତପନ ପକ୍କା ଘର ପାଇଲିଂ ଗ୍ରୁପ୍ରେ ହେଲ୍ପର ଭାବରେ କାର୍ଯ୍ୟ କରିଆସୁଥିଲେ । କୌଣସି କରଣବଶତଃ ଅଳ୍ପଦିନ ହେବ ସେ ପାଇଲିଂ କାମକୁ ନଯାଇ ମାଛ ଧରି ପରିବାର ପ୍ରତିପୋଷଣ କରିଆସୁଥିଲେ । ଅନ୍ୟପକ୍ଷରେ ସେ ଗୁରୁବାର ସନ୍ଧ୍ୟାରେ ତପନ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହାଇଦ୍ରାବାଦ୍ରେ ଥିବା ସାଙ୍ଗମାନଙ୍କ ସହିତ ମୋବାଇଲ୍ରେ ଫ୍ରିଫାୟାର ଗେମ୍ ଖେଳୁଥିବାର ଜଣାପଡ଼ିଛି ।