ଧାନ କିଣା ଓ ପକ୍କା ଘର ଯୋଗାଇବା ପ୍ରସଙ୍ଗରେ ପ୍ରତିବାଦ କରିବ ବିଜେପି : ସମୀର ମହାନ୍ତି
- ଜୁଲାଇ ୧ ଓ ୨ରେ ଧାନମଣ୍ଡି ଆଗରେ ଧାରଣା ସହ ସିଏସଓ ଅଫିସ କାର୍ଯ୍ୟାଳୟ ଘେରାଉ
- ଜୁଲାଇ ୭, ୮, ୯ରେ ରାଜ୍ୟର ସମସ୍ତ ବ୍ଲକ ସାମ୍ନାରେ ପ୍ରତିବାଦ
ଭୁବନେଶ୍ୱର : ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ବିଜେପି ପକ୍ଷରୁ ଆସନ୍ତା ଜୁଲାଇ ୧ ଏବଂ ୨ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ । ଚାଷୀଙ୍କ ସହ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ଧାନମଣ୍ଡି ଆଗରେ ଧାରଣା ଦେଇ ରାଜରାସ୍ତା ରୋକିବା ସହ ସ୍ଥାନୀୟ ସିଏସ୍ଓ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବେ । ସେହିପରି ସମସ୍ତ ଯୋଗ୍ୟ ହତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ଆସନ୍ତା ଜୁଲାଇ ୭,୮,୯ ତାରିଖ ତିନି ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ସାମ୍ନାରେ ବିଜେପି ତରଫରୁ ପ୍ରତିବାଦ କରାଯିବ ।
ମଙ୍ଗଳବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ଟୋକନ ଲ୍ୟାପସ୍ ହେବା କାରଣରୁ ସେମାନଙ୍କ ଧାନ ମଣ୍ଡିରେ ପଡିରହିଛି । ଏଥିପାଇଁ ଯେତେ ସଂଖ୍ୟାରେ ଚାଷୀ ପଞ୍ଜୀକରଣ କରିଥିଲେ ଟୋକନ ନଦେବା କାରଣରୁ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଖୋଲା ବଜାରରେ କ୍ୱିଂଟାଲ ପିଛା ୯୦୦-୧୧୦୦ ଟଙ୍କାରେ ଧାନବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନବିକ୍ରି କଲାବେଳେ ମିଲର୍ସମାନେ ମନଇଚ୍ଛା କ୍ୱିଂଟାଲ ପିଛା ୮/୧୦ କେଜି କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚଳିତ ରବି ଋତୁରେ ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରିଦେଇଥିବାରୁ ଅନେକ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି ।
ଅପରପକ୍ଷରେ ପ୍ରଧାନମନ୍ତ୍ରା ଆବାସ ଯୋଜନା ଏକ ଫ୍ଲାଗସିପ୍ ପ୍ରୋଗ୍ରାମ । କିନ୍ତୁ ରାଜ୍ୟସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଖଣ୍ଡେ ଘରେ ପାଇବାରୁ ବଂଚିତ ହେଉଛନ୍ତି । ସାରା ରାଜ୍ୟରେ ୧୦ ରୁ ୨୫ ହଜାର ଟଙ୍କାର ଲାଂଚ ନଦେଲେ ପକ୍କା ଘର ଖଣ୍ଡେ ମିଳିବା କଷ୍ଟକର ହୋଇପଡିଛି । ପକ୍କା ଘର ବଂଟନରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ ନାହିଁ । କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ୮ ଲକ୍ଷ ୧୭ ହଜାର ପକ୍କା ଘର ଯୋଗାଇବା ନେଇ ଅର୍ଥ ପ୍ରଦାନ କରିଛନ୍ତି । ଜଣେ ବି ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ଯେପରି ବଂଚିତ ନରୁହେ ସେଦିଗରେ ରାଜ୍ୟ ସରକାର କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।
ପ୍ରତି ଗାଁରେ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଜୁଳି, ଉଜ୍ଜଳା ଯୋଜନାରେ ଗ୍ୟାସ ,ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ଏବଂ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଉଛି । ପଂଚଦଶ ଅର୍ଥ କମିଶନରେ ପଂଚାୟତଗୁଡିକୁ ବ୍ୟାପକ ଅର୍ଥ ଆସୁଛି । କିନ୍ତୁ ଲୋକଙ୍କ ବିକାଶରେ ରାଜ୍ୟ ସରକାର ଏଠି ବାଧକ ସାଜିଛନ୍ତି । ୨୦୨୨ ସୁଦ୍ଧା ଓଡିଶାର ପ୍ରତ୍ୟେକ ଗରିବ ଲୋକ ପାଖରେ ପକ୍କା ଘର ନପହଂଚାଇ ପାରିଲେ ବିଜେଡି ସରକାର ହିଁ ଦାୟୀ ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଆବଂଟନ କରିଥିବା ରାଜ୍ୟର ୩୦ଟି ଜିଲ୍ଲାରୁ ୨୧ ଟି ଜିଲ୍ଲାକୁ ପକ୍କା ଘର ଆବଂଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ । ଯେଉଁମାନଙ୍କର ପକ୍କା ଘର ନାହିଁ ସେମାନେ ନିକଟସ୍ଥ ପଂଚାୟତ କିମ୍ବା ବ୍ଲକରେ ସେମାନଙ୍କର ଆବେଦନ ଦାଖଲ କରି ପାରିବେ । ଯେଉଁ ୯ ଟି ଜିଲ୍ଲାରେ ପକ୍କା ଘର ପାଇଁ କୌଣସି ଆଲର୍ଟମେଂଟ ହୋଇନାହିଁ ସେଠାରେ ଥିବା ଗରିବ ଲୋକ କାହିଁକି ନିଜ ଅଧିକାରରୁ ବଂଚିତ ରହିଲେ, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।