ବାଲେଶ୍ୱର : ‘ୟାସ’ ପାଇଁ ବିଜେପି ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି
ବାଲେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ୟାସ’ର ଅବ୍ୟବହିତ ପୂର୍ବରୁ ଜେଲରୋଡ଼ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ୍ ଆଗାମୀ ୩ଦିନ ପାଇଁ ଜାରି କରାଯାଇଛି । ଏହାସହ ଉକ୍ତ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ସେବା ପାଇଁ ଉଦ୍ଦିଷ୍ଟ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ ଆରମ୍ଭ ହୋଇଛି । ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ପର୍ଯ୍ୟାୟରେ ନିଜର ଅସୁବିଧାକୁ ୦୬୭୮୨-୨୬୦୨୭୧/୭୦୦୮୫୫୮୮୦୮/୬୩୭୦୯୫୪୨୦୦ ଟେଲିଫୋନ୍ ନମ୍ବର ମାଧ୍ୟମରେ ଜଣାଇଲେ ଭାଜପା ଯଥାସାଧ୍ୟ ସହଯୋଗୀ ହେବ ବୋଲି କୁହାଯାଇଛି ।
ସୂଚନା ଯେ, ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁସାରେ ବାତ୍ୟା ‘ୟାସ’ ବାଲେଶ୍ୱର ଜିଲାକୁ ଅଧିକ କ୍ଷତିଗ୍ରସ୍ତ କରିବାକୁ ଥିବାବେଳେ ସାଧାରଣ ଲୋକ ନିଜର ଅସୁବିଧାକୁ ଜିଲାପ୍ରଶାସନ ନିକଟରେ ସଠିକ୍ ଭାବେ ପହଞ୍ଚାଇବା ନିମନ୍ତେ ଉକ୍ତ କଣ୍ଟ୍ରୋଲ ରୁମ୍ ଓ ହେଲ୍ପଲାଇନ୍ ନଂ. ବିପଦ ସମୟରେ ନିଶ୍ଚୟ ସେବାଯୋଗ୍ୟ ହେବ ବୋଲି ପ୍ରକାଶ୍ୟ । ବାତ୍ୟା ପରିପ୍ରେକ୍ଷୀରେ ସାଧାରଣ ଜନତା ଓ ବିଶେଷ କରି ମାଟି ଘରେ ରହୁଥିବା ଅଧିବାସୀମାନେ ପ୍ରଶାସନ ଦ୍ୱାରା ନିର୍ମିତ ନିରାପଦ ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ଅନୁରୋଧ କରିବା ସହ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା- କ୍ୟାଣ୍ଡେଲ, ଦିଆସିଲି, ଟର୍ଚ୍ଚ ଓ ପ୍ରଚୁର ପରିମାଣରେ ପାଣିର ବ୍ୟବସ୍ଥା, ରାଶନ ସାମଗ୍ରୀ ନିଜ ପାଖରେ ମହଜୁଦ ରଖିବାକୁ ଭାଜପା ପକ୍ଷରୁ ନିବେଦନ କରାଯାଇଛି । ସମସ୍ତେ ଜିଲା ପ୍ରଶାସନ ଓ କେନ୍ଦ୍ରୀୟ ଟିମ୍କୁ ସହଯୋଗ କରିବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ଭିଡ଼ିଓ ଓ ଅଡ଼ିଓ କନଫାରେନ୍ସ ମାଧ୍ୟମରେ ଯୋଗଯୋଗ କରିବାକୁ କୁହାଯାଇଛି । ଉକ୍ତ କଣ୍ଟ୍ରୋଲ ରୁମ୍ ଓ ହେଲ୍ପଲାଇନ୍ ନମ୍ବ ଜାରି ସମୟରେ ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି ମାନସ ଦତ୍ତ, ଯୁବନେତା ପ୍ରବୀର ଶଙ୍କର ଦାସ, ଲୋକନାଥ ଭୁୟାଁ, ଚନ୍ଦ୍ରଶେଖର ନନ୍ଦ, ବିକାଶ ପାଢ଼ୀ, ପବନ କାମିଳା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ପର୍ଶୁରାମ ବେହେରା, ସତ୍ୟଜିତ୍ ମିଶ୍ର, ଅନନ୍ତ ନାୟକ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ ସହଯୋଗ କରିଥିଲେ ।