ଭାଲୁ ଆକ୍ରମଣରେ ଜଣେ ଗୁରୁତର
କରଞ୍ଜିଆ : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଏଦେଲବେଡା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ମଧୁସୂଦନ କାଣ୍ଡେଆନ୍ (୫୦) । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।
ଗତ ରବିବାର ରାତିରେ ମଧୁସୂଦନ ବିଲକୁ ପାଣି ଛାଡିବାକୁ ଯାଇଥିବା ସମୟରେ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁଟି ତାଙ୍କର ବିଭିନ୍ନ ସ୍ଥାନରେ କାମୁଡିବା ସହିତ ନଖରେ ଅନେକ ସ୍ଥାନରେ କ୍ଷୟକ୍ଷତି କରିଛି । ମଧୁସୂଦନ ଆକ୍ରମଣର ଶିକାର ହୋଇ ଘଟଣା ସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ । ବିଳମ୍ବିତ ରାତି ହୋଇଯାଇଥିଲେ ମଧ୍ୟ ମଧୁସୂଦନ ଘରକୁ ଫେରିବା ବିଳମ୍ବ ହେବା ଯୋଗୁଁ ପରିବାର ଲୋକ ଖୋଜିଖୋଜି ଯାଇ ବିଲରେ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସାହାଯ୍ୟରେ ଏକ ଗାଡିରେ କରଞ୍ଜିଆ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।