ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ଆଜିଠୁ ବଢିବ ବର୍ଷା
ଭୁବନେଶ୍ୱର : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ରବିବାର ଏହା ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ରବିବାର ଠାରୁ ବର୍ଷା ପ୍ରକୋପ ବଢ଼ିପାରେ । ମାତ୍ର ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବଡ଼ ବର୍ଷା ବା ଲଗାଣ ବର୍ଷା ସମ୍ଭାବନା କମ୍ । ଆଜି ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ, ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଅଞ୍ଚଳର ଅଳ୍ପ କେତେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ଗଜପତିି, ଗଞ୍ଜାମ, ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ । ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ । ୧୩ ଓ ୧୪ରେ ବି ବର୍ଷା ହେବ । ମାତ୍ର ଏହି ଲଘୁଚାପ ମୁଖ୍ୟତଃ ଓଡ଼ିଶାରେ ଅଧିକ ବର୍ଷା କରାଇବ । ରାଜ୍ୟର ବାକି ଅଞ୍ଚଳରେ ବିଶେଷ ବର୍ଷା ହେବନି । ଆଜି ଦିନ ଭିତରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା କମ୍ ରହିଛି । ଜୁନ ପହିଲାରୁ ଜୁଲାଇ ୧୦ ତାରିଖ ସୁଦ୍ଧା ଯେତିକି ବର୍ଷା ହେବା କଥା, ତା’ଠାରୁ ୨୦% କମ୍ ବର୍ଷା ହୋଇଛି । ୧୪ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ଭଦ୍ରକରେ ସବୁଠୁ କମ୍ ବର୍ଷା ହୋଇଛି । ଏଠାରେ ସ୍ୱାଭାବିକ ତୁଳନାରେ ୫୮% ବର୍ଷା ଅଭାବ ଅଛି । ସ୍ଥିତି ଶୋଚନୀୟ ହେଲାଣି । ଜମି ଫାଟି ଆଁ କରିଛି । ବିଶେଷକରି ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମ୍ ରହିଛି । ଏଣେ ବର୍ଷା ଅଭାବରୁ ଚାଷ କାମ ବିଳମ୍ବ ହେଉଥିବାରୁ ଚାଷୀ ଚିନ୍ତାରେ ପଡ଼ିଗଲାଣି । ଯାଜପୁରରେ ୪୭% କମ୍ ବର୍ଷା ରହିଛି । ଗଜପତିରେ ୪୭% କମ୍ ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ସ୍ୱାଭାବିକଠାରୁ ୩୯% କମ୍ ବର୍ଷିଛି ମୌସୁମୀ । ଏହାବାଦ୍ ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ ଓ ଝାରସୁଗୁଡ଼ାରେ ବର୍ଷା ନିଅଣ୍ଟିଆ ଅଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଲା, ୧୧ ତାରିଖ ଲଘୁଚାପ ପରେ ପୁଣି ଆଉ ଏକ ଲଘୁଚାପ ୧୮ ତାରିଖବେଳକୁ ହୋଇପାରେ । ମାତ୍ର ଉଭୟ ଲଘୁଚାପରେ ଆଶାନୁଯାୟୀ ବର୍ଷା ହେବନି ଓଡ଼ିଶାରେ । ତେଣୁ ରାଜ୍ୟରେ ଲାଗି ରହିଥିବା ବର୍ଷା ନିଅଣ୍ଟିଆ ସ୍ଥିତି ଆହୁରି ବିଗିଡ଼ିପାରେ । ଏମିତି ହେଲେ ଧାନ ଚାଷ ଉପରେ ବଡ଼ ପ୍ରଭାବ ପଡ଼ିପାରେ ।