ଜଗନ୍ନାଥଙ୍କ ରଥଯାତ୍ରାର ପ୍ରାଚୀନତା ଓ ଐତିହାସିକ ତଥ୍ୟ
ଅନେକ ଐତିହାସିକଙ୍କ ମତରେ ଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ରଥଯାତ୍ରା ର ଏକ ପ୍ରତିଫଳନ। ପ୍ରତ୍ୟେକ ବର୍ଷ ସିଂହଳରେ ଯେଉଁ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ , ସେଥିରେ ବୁଦ୍ଧଙ୍କ ଦନ୍ତକୁ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦିନ ହସ୍ତୀ ଉପରେ ଉପବେଶନ କରାଇ ମହା ସମାରୋହରେ ଶୋଭା ଯାତ୍ରାରେ ନିଆଯାଏ । ନଗରର ରାଜମାର୍ଗ ମାନ ବୁଲାଇ ସେହି ଦନ୍ତକୁ ଶେଷରେ ଏକ ମଣ୍ଡପରେ ସ୍ଥାପନ କରାଯାଇ ଥାଏ। ସେଠାରେ ଛଅଦିନ ରହିବା ପରେ ପୁନର୍ବାର ଦନ୍ତ ମୂଳ ମନ୍ଦିରକୁ ଫେରି ଆସେ ।
ସେହିପରି ପୁରୀରେ ଅନୁଷ୍ଠିତ ରଥଯାତ୍ରା ରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଚତୁର୍ଦ୍ଧା ଦାରୁ ବିଗ୍ରହ ନବ ନିର୍ମିତ ରଥରେ ବିଜେକରି ଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚନ୍ତି ଏବଂ ସେଠାରେ ୭ଦିନ ରହି ପୁଣି ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରକୁ ବାହୁଡା ବିଜେରେ ଫେରିଥାନ୍ତି ।
ପୁରାତତ୍ତ୍ୱବିତ ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତନୁଯାୟୀ ପୁରୀର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମୋତ୍ସବ ପାଳନର ସ୍ମୃତି ମାତ୍ର। ଷୋଡ଼ଶ ଶତାଦ୍ଦୀରେ ରଚିତ ମାଦଳା ପାଞ୍ଜିରେ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ । ଏଥିରେ ଉଲ୍ଲେଖ ଅଛି ଯେ, ବୀର ନରସିଂହ ଦେବ ରାଜା ରାଜ୍ୟ କଲେ। ଏ ରାଜା ବାଙ୍କୀ ମୁହାଣ ପୋତାଇଲେ । ଛଅ ରଥ ହେଉଥିଲା, ରାଜା ତାହା ପୋତାଇ ତିନି ରଥ କରାଇଲେ । ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ । ଏ ଦୁଇ ପାଖେ ବଳଗଣ୍ଡି କଲେ ।
କେହି ଜଣେ ଗବେଷକ ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ (ଖ୍ରୀ.ଅ ୧୨୬୪-୧୨୭୮)ଙ୍କ ସମୟରେ ଛଅ ରଥ ପରିବର୍ତ୍ତେ ତିନି ରଥ ହେବାର ବ୍ୟବସ୍ଥା ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଏହି ଛଅ ରଥ କେବେ ଠାରୁ ଶ୍ରୀକ୍ଷେତ୍ରରେ ପ୍ରଚଳିତ ହେଲା, ସେ ସମ୍ପର୍କରେ ମାଦଳା ପାଞ୍ଜିରୁ କୈଣସି ତଥ୍ୟ ମିଳୁନାହିଁ । କିନ୍ତୁ ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ପୁରୀରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଛି। ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ରଚିତ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମ୍ୟରେ ରଥଯାତ୍ରାର ସବିଶେଷ ବିବରଣୀ ବର୍ଣ୍ଣନା ରହିଛି।
ଖ୍ରୀ.ଅ ଅଷ୍ଟମ ବା ନବମ ଶତାଦ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ଭିକାରୀ ପଟ୍ଟନାୟକଙ୍କ ୧୮୫୯ ସାଲରେ ରଚିତ ରଥ ଚକଡା ପୋଥିରୁ ଉଦ୍ଧାର କରି ଗବେଷକ ସଦାଶିବ ରଥଶର୍ମା ପ୍ରକାଶ କରିଛନ୍ତି । ଏହି ରଥ ଚକଡା ପାଣ୍ଡୁଲିପିଟି ପୁରୀ ବାସେଳି ସାହିର ତତକାଳୀନ ରଥ ଅମୀନ ଓ ରଥକାର ଫକୀର ମହାପାତ୍ରଙ୍କ ଠାରୁ ପ୍ରାପ୍ତ ଓ ପୁରୀ ବଡ଼ ଓଡ଼ିଆ ମଠରେ ତାହା ସୁରକ୍ଷିତ ଥିଲା ବୋଲି ରଥଶର୍ମା ଉଲ୍ଲେଖ କରିଛନ୍ତି। ଯଯାତିଙ୍କ ବେଳେ ଜଗନ୍ନାଥ ମନ୍ଦିରର ଉଚ୍ଚତା ମାତ୍ର ୪୮ ହାତ ଥିଲା। ଠାକୁରେ ୨ହାତ ୧୦ଆଙ୍ଗୁଳର ଥିଲେ ଓ ରଥମାନ ୧୮ ହାତ ଉଚ୍ଚ ଥିଲା । ତିନି ରଥ ବୋଧେ ସମାନ ଥିଲା। ରଥ ଛଅ ଗୋଟି ହେଉଥିଲା । ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା । ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହା ଚାରି ଚକିଆ ଶଗଡି ସଦୃଶ୍ୟ ହେଉଥିଲା । ଏହି ତିନିଗୋଟି ରଥ ମାଳିନୀ ବା ବଡ଼ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା । ସିଂହଦ୍ୱାର ଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ଷୋହଳ ଚକିଆ , ଚଉଦ ଚକିଆ ଓ ବାର ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକ ମୁଣ୍ଡାଇରେ ରତ୍ନ ଚାନ୍ଦୁଆ ଟଣା ହେଉଥିଲା। ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରି, ରଥ ଘଣ୍ଟୁଆ, ବାଦ୍ୟକାରମାନେ ଯାଉଥିଲେ ଆଗେ ଆଗେ। ପଛରେ ତିନି ରଥକୁ ଟାଣୁଥିଲେ ଭକତମାନେ । ରଥରେ ଚାଉଳ, ନଡିଆ ଖଣ୍ଡ ପଡି ଭୋଗ ଲାଗୁଥିଲା । ତାହା ଅଳ୍ପ ସଂଖ୍ୟକ ସମବେତ ଭକ୍ତଗଣଙ୍କୁ ବଣ୍ଟନ କରାଯାଉଥିଲା । ବଳଗଣ୍ଡିଠାରେ ରଥ ପହଞ୍ଚିଲେ ଦୋଳଚାପରେ ନଈ ପାରି ହୋଇ ଅର ପଟକୁ ଠାକୁରମାନେ ବିଜେ କରି ଚାରି ଚକିଆ ଶଗଡି ରଥରେ ବସି ଗୁଣ୍ଡିଚା ମନ୍ଦିର ବେଢାକୁ ଯାଆନ୍ତି । ସାତ ଦିନ ପରେ ନବଦିନ ଯାତ୍ରା ସମାପ୍ତ କରି ବାହୁଡା ଯାତ୍ରା ହେଉଥିଲା।
ପ୍ରାବନ୍ଧକ ଡକ୍ଟର ହରିହର କାନୁନଗୋଙ୍କ ମତରେ ଯଯାତିଙ୍କ ସମୟରେ ହୋଇଥିବା ଘଟଣାଟି ବିଶ୍ୱାସଯୋଗ୍ୟ ମନେହୁଏ। ସମ୍ଭବତଃ ଜଗନ୍ନାଥଙ୍କୁ ୩୮ହାତର ଏକ ପଟୋଳରେ ସ୍ଥାପନା କଲା ବେଳେ ପୂର୍ବରୁ ଅନୁସୃତ ରଥଯାତ୍ରା ପରମ୍ପରାର ପ୍ରଭାବରେ ଯଯାତି ଏହି ରଥଯାତ୍ରାର ପ୍ରଚଳନ କରିଥିଲେ । ପରବର୍ତ୍ତୀ ଦ୍ୱାଦଶ ଶତାଦ୍ଦୀରେ ୧୦୦ ହାତର କିମ୍ବା ୧୨୫ ହାତର ବଡ଼ ଦେଉଳ ନିର୍ମାଣ ସମାପ୍ତି ଓ ଠାକୁରମାନଙ୍କ ବିଜେ ତୃତୀୟ ଅନଙ୍ଗଭୀମ ଦେବ (ଖ୍ରୀ.ଅ.୧୨୧୧-୧୨୩୮)ଙ୍କ ସମୟ ହୋଇଥିବାରୁ ସେହି ବର୍ଷଠାରୁ ପୂର୍ବ ସ୍ମୃତିକୁ ମନେ ରଖିବା ପାଇଁ ବଡ଼ ଦେଉଳରୁ ଗୁଣ୍ଡିଚା ଘରକୁ ଦିଅଁଙ୍କର ରଥଯାତ୍ରା ଦକ୍ଷିଣାଭିମୁଖୀରେ ହୋଇଥିବା ସମ୍ଭବପର । ଯଯାତିଙ୍କ ସମୟରେ ବଡ଼ ଦାଣ୍ଡର ବଳଗଣ୍ଡିଠାରେ ମାଳିନୀ ନଦୀ ପ୍ରବାହିତ ହେଉଥିବାରୁ ଛଅ ରଥ ନିର୍ମାଣ କରାଯାଉଥିଲା ଏବଂ ବୀର ନରସିଂହ ଦେବ ଓରଫ ପ୍ରଥମ ଭାନୁଦେବ (ଖ୍ରୀ.ଅ.୧୨୬୪-୧୨୭୮) କିମ୍ବା ଦ୍ୱିତୀୟ ନରସିଂହ ଦେବ (ଖ୍ରୀ.ଅ ୧୨୭୮-୧୩୦୭)ଙ୍କ ସମୟରେ ଏହି ମାଳିନୀ ନଦୀ (ଶରଧାବାଲି)କୁ ପୋତି ଦେବା ଫଳରେ ଛଅ ରଥ ପରିବର୍ତ୍ତେ ତିନି ରଥ ତିନି ରଥ ନିର୍ମିତ ହୋଇ ଆସୁଅଛି।
ଅପରପକ୍ଷରେ ଗବେଷକ ଡଃ ନୀଳକଣ୍ଠ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ଖ୍ରୀ.ଅ ୧୨୭୦ରେ ମାଧବାଚାର୍ଯ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ କାଳରେ ଏକ ଯାତ୍ରାରେ ଦୁଇ ପ୍ରକାର ରଥ ବ୍ୟବହାର ଶାସ୍ତ୍ର ବିରୋଧୀ ବୋଲି ମତ ଦେଇ ମାଳିନୀ ନଦୀ ପୋତି ବଡ଼ଦାଣ୍ଡରେ ମାତ୍ର ତିନି ଗୋଟି ରଥରେ ରଥଯାତ୍ରା ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ତେଣୁ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ (୧୨୬୪-୧୨୮୭ ଏ ବ୍ୟବସ୍ଥା କରିଥିଲେ । ମାଳିନୀ ବା ଶରଧା ନଦୀ ପୋତା ହେଲା ପରେ ଏହା ବଡ଼ ଦାଣ୍ଡରେ ପରିଣତ ହେଲା ।
ଖ୍ରୀଷ୍ଟୀୟ ନବମ ଶତାଦ୍ଦୀର କବି ମୁରାରୀ ମିଶ୍ର ସ୍ୱୀୟ ସୃଷ୍ଟିରେ ରଥଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ବୋଲି କେତେକ ଅଲୋଚକ ମତପୋଷଣ କରିଛନ୍ତି । ଶ୍ରୀବିଗ୍ରହମାନଙ୍କ ରଥଯାତ୍ରା କାଳରେ ମୁରାରୀ ମିଶ୍ରଙ୍କ ରଚିତ ସୁପ୍ରସିଦ୍ଧ ସଂସ୍କୃତ ନାଟକ ଅନର୍ଘ ରାଘବ ସମେତ ବହୁ ସଂସ୍କୃତ କାବ୍ୟ ଭକ୍ତମାନଙ୍କର ଚିତ୍ତ ବିନୋଦନ ପାଇଁ ଅଭିନୀତ ହେଉଥିବାରୁ ସୂଚନା ତାଙ୍କ ରଚନାରୁ ମିଳିଥାଏ । କବି ମୁରାରୀ ମିଶ୍ରଙ୍କ ରଚନାରୁ ଜଣାଯାଏ ଯେ, ଭାଗବତଃ ପୁରୁଷୋତ୍ତମସ୍ୟ ଯାତ୍ରାୟା ମୁପସ୍ଥାନୀୟା ସଭାସଦଃ। ଏଠାରେ ଶ୍ରୀପୁରୁଷୋତ୍ତମ ବା ଶ୍ରୀଜଗନ୍ନାଥଙ୍କ ଯେଉଁ ଯାତ୍ରାର ନାମ ଉଲ୍ଲେଖ କରିଛନ୍ତି, ତାହା ଆଲୋଚକମାନଙ୍କଦ୍ୱାରା ରଥଯାତ୍ରା ରୂପେ ଗୃହୀତ ହୋଇଛି। ମାତ୍ର ବର୍ଣ୍ଣିତ ଯାତ୍ରାର କାଳ ନିରୂପିତ ହୋଇନଥିବାରୁ ଏହାକୁ ରଥଯାତ୍ରା ଭାବରେ ଗ୍ରହଣ କରିବାରେ ମତଦ୍ୱୈଧ ପରିଲକ୍ଷିତ ହୋଇଥାଏ ।ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ୧୨୨୩ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ କାଳରେ ରଥଯାତ୍ରା ପ୍ରଚଳନ କଥା ଉଲ୍ଲେଖ କରିଛନ୍ତି । ରାଜଗୁରୁଙ୍କ ମତରେ ୧୨୨୩ ଖ୍ରୀଷ୍ଟାବ୍ଦ ପରେ କୈଣସି ସମୟରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦାରୁ ନିର୍ମିତ ହେବାରେ ଓ ଆଦିବାସୀ ଦଇତାମାନେ ଶ୍ରୀଜଗନ୍ନାଥଙ୍କ ସେବକ ରୂପେ ନିଯୁକ୍ତି ହେବାର ରଥଯାତ୍ରାର ସୃଷ୍ଟି ହୋଇଅଛି।