କରୋନାରେ ସାଂସଦ ତଥା ବିଶିଷ୍ଟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ
ଭୁବନେଶ୍ୱର : ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କଯର୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ। ଆଜି ଅପରାହ୍ନ ୩ଟା ୪୯ରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ରଘୁନାଥ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ। ରଘୁନାଥଙ୍କ ବିୟୋଗ ରାଜ୍ୟ ତଥା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ।
ନିରବି ଗଲା ନିହାଣର ସ୍ଵର। ଅଧାରେ ରହିଗଲା ଦ୍ଵିତୀୟ କୋଣାର୍କର ପରିକଳ୍ପନା। ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ ଘଟିଛି। ରବିବାର ଅପରାହ୍ନ ୩ଟା ୪୯ରେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏ ନେଇ ଭୁବନେଶ୍ଵର ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଗତ ୨୨ ତାରିଖରେ ଏମ୍ସରେ ସେ ଭର୍ତ୍ତି ହୋଇଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ରଘୁନାଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ସୂଚନା ଯେ, ୧୯୪୩ ମସିହା ମାର୍ଚ୍ଚ ୨୪ରେ ବିଶିଷ୍ଟ ସ୍ଥପତି ରଘୁରାନ ମହାପାତ୍ର ପୁରୀ ଜିଲ୍ଲାର ଶାସନ ପଡିଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଦ୍ଵିତୀୟ କୋଣାର୍କ ମନ୍ଦିରର ପରିକଳ୍ପନା କରିଥିବା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ସ୍ଥପତି କ୍ଷେତ୍ରରେ ଅତୂଳନୀୟ ଯୋଗଦାନ ହେତୁ କେନ୍ଦ୍ର ସରକାର କଳା କ୍ଷେତ୍ର ପାଇଁ ତାଙ୍କୁ ରାଜ୍ୟସଭାକୁ ୨୦୧୮ ଜୁଲାଇ ୧୪ରେ ମନୋନୀତ କରିଥିଲେ। ଏପରିକି ୨୦୦୦ ମସିହାରେ ଭାରତୀୟ ସାଂସ୍କୃତିକ ପରିଷଦର ସଦସ୍ୟ ଭାବେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଦ୍ଵାରା ସେ ମନୋନୀତ ହୋଇଥିଲେ। ରଘୁନାଥ ମହାପାତ୍ର ପ୍ରସ୍ତର କାରୁକାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହା ପୂର୍ବରୁ ୧୯୬୪ରେ ସେ ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ।