ଥମୁନି ହଟ୍ଟଗୋଳ, ଆଜିବି ସଂସଦ ଅଚଳ
ନୂଆଦିଲ୍ଲୀ : ସରକାର ଓ ବିରୋଧୀ ମୁହାଁମୁହିଁ ପରିସ୍ଥିତିରେ ଥିବାରୁ ଚଳିତ ମୌସୁମୀ ଅଧିବେଶନ ଏକ ପ୍ରକାର ଅଚଳାବସ୍ଥାରେ ପହଂଚିଛି। ପେଗାସସ୍ ଗୁଇନ୍ଦାଗିରି, କୃଷି ଆଇନ୍ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଲଗାତର ପ୍ରତିବାଦ କରୁଥିବାରୁ ସଂସଦରେ କାର୍ଯ୍ୟଧାରା ଆଜି ମଧ୍ୟ ଅଚଳ ରହିଛି। ଲୋକସଭାକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଓ ରାଜ୍ୟ ସଭାକୁ ଅପରାହ୍ଣ ୩ଟା ୪୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଦ୍ୱିତୀୟ ମୁଲତବୀ ପରେ ଅପରାହ୍ଣ ୨ଟାରେ ସଭା କାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ମାତ୍ରକେ ଟି.ଏମ୍.ସି. ସାଂସଦ ସୌଗତ ରଏ ଦିଲ୍ଲୀରେ ଜଣେ ଦଳିତ ବାଳିକାକୁ ଯୌନ ନିର୍ଯାତନା ଓ ହତ୍ୟା ପ୍ରସଙ୍ଗ ଉତ୍ଥାପନ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଅଧ୍ୟକ୍ଷ ଅନୁମତି ଦେଇନଥିଲେ। କଂଗ୍ରେସ, ଟି.ଏମ୍.ସି. ଓ ଡି.ଏମ୍.କେ. ସମେତ ବିରୋଧୀ ଦଳର ସଦସ୍ୟମାନେ ପୁଣି ସଭାଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନମାନ ଦେଇଥିଲେ। ଏଭଳି ବିଶୃଙ୍ଖଳିତ ପରିସ୍ଥିତି ମଧ୍ୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୧ ସଭା ଗୃହରେ ଉପସ୍ଥାପିତ ହୋଇଥିଲା। ଗୃହରେ ହୋହାଲା ଓ ପାଟିତୁଣ୍ଡ ଲାଗିରହିବାରୁ ସଭା କାର୍ଯ୍ୟକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପୂର୍ବରୁ ଗଣ୍ଡଗୋଳିଆ ପରିସ୍ଥିତି ମଧ୍ୟରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଦିଲ୍ଲୀରେ ଜଣେ ଦଳିତ ବାଳିକାଙ୍କୁ ଯୌନ ନିର୍ଯାତନା ଓ ହତ୍ୟା ଘଟଣା ପ୍ରସଙ୍ଗ ଉତ୍ଥାପନ କରିବାକୁ ଉଦ୍ୟମ କରିଥିଲେ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ୍ରାମ ମେଘୱାଲ୍ କହିଲେ, ମହିଳାମାନଙ୍କ ସମସ୍ୟା ପ୍ରତି ସରକାର ଅତି ମାତ୍ରାରେ ସମ୍ବେଦନଶୀଳ। ଏଣୁ ବିରୋଧୀ ଦଳର ସଦସ୍ୟମାନେ ଅତ୍ୟନ୍ତ ମାତ୍ରାରେ ବିଶୃଙ୍ଖଳା ସୃଷ୍ଟି କରିବା ଉଚିତ ନୁହେଁ। ବିରୋଧୀ ଦଳଗୁଡ଼ିକ ଦ୍ୱାରା ଆଗତ ମୁଲତବୀ ନୋଟିସ୍ ଗୁଡ଼ିକୁ ଅଧ୍ୟକ୍ଷ ପ୍ରତ୍ୟାଖ୍ୟାନ କରିଥିଲେ।
ସକାଳେ ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହୋହାଲା ଓ ପାଟିତୁଣ୍ଡ କରିବାରୁ ପ୍ରଶ୍ନକାଳରେ କୌଣସି କାର୍ଯ୍ୟ ହୋଇପାରି ନ ଥିଲା। ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ବାରମ୍ବାର ଅନୁରୋଧକୁ ବିରୋଧୀ ଦଳ ସଦସ୍ୟମାନେ କର୍ଣ୍ଣପାତ କରି ନ ଥିଲେ। ଏହା ପୂର୍ବରୁ ସଭାଗୃହରେ ଭାରତୀୟ ପୁରୁଷ ହକି ଟିମ୍ ଓ ମୁଷ୍ଟି ଯୋଦ୍ଧା ଲବ୍ଲିନା ବୋରଗାଏଁଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟସଭାରେ ତୃତୀୟ ମୁଲତବୀ ପରେ ଅପରାହ୍ଣ ୨ଟା ବେଳେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସମ୍ବିଧାନର ଅନୁସୂଚୀତ ଜନଜାତି ନିର୍ଦ୍ଦେଶ ସଂଶୋଧନ ବିଲ୍ ୨୦୨୧ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରରେ ବାୟୁମାନ ପରିଚାଳନା ପାଇଁ କମିଶନ୍ ବିଲ୍ ୨୦୨୧ ଉପରେ ଅଳ୍ପ ଆଲୋଚନା ପରେ ପାସ୍ ହୋଇଯାଇଛି। ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ବିଲ୍ ୨୦୨୧ ଉପରେ ବିବେଚନା ପାଇଁ ମଧ୍ୟ ଉପସ୍ଥାପନା କରାଯାଇଛି। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରି କହିଛନ୍ତି, ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ବିନା ଆଲୋଚନାରେ ପାସ୍ କରିବାକୁ ଚାହୁଁଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ସେ କହିଛନ୍ତି, ଏହି ବିଲ୍ ପ୍ରତିରକ୍ଷା ଉତ୍ପାଦନ ଶାଖା ଗୁଡ଼ିକୁ ଜାତୀୟତା ବିହୀନ ଶାଖାରେ ପରିଣତ କରିବ। ଏହି ବିଲ୍କୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ସେ ଦାବି କରିଛନ୍ତି। ସଭା ଗୃହରେ ଅଚଳାବସ୍ଥାକୁ ଦୂର କରିବା ପାଇଁ ସରକାର ଉଦ୍ୟମ କରୁନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ ଉପରେ ତୁରନ୍ତ ଆଲୋଚନା ଆରମ୍ଭ କରିବା ପାଇଁ ବିରୋଧୀ ଦଳ ସଦସ୍ୟମାନେ ଦାବି କରି ହୋହାଲା କରିବାରୁ ସଭାକାର୍ଯ୍ୟକୁ ଅପରାହ୍ଣ ୩ଟା ୪୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ସଭାଗୃହର ଉପାଧ୍ୟକ୍ଷ କହିଥିଲେ, ଗତକାଲି ନିଲମ୍ବିତ ହୋଇଥିବା ଜଣେ ସାଂସଦ ସଭାଗୃହକୁ ପ୍ରବେଶ କରିବା ପାଇଁ ଉଦ୍ୟମ କଲାବେଳେ ଜଣେ ମହିଳା ନିରାପତ୍ତା ଅଧିକାରୀଙ୍କ ଦ୍ୱାରା ତାଙ୍କୁ ବାଧା ଦିଆଯିବା ବେଳେ ତାଙ୍କୁ ମାଡ଼ ଦିଆଯିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମହିଳା ଅଧିକାରୀ ଜଣକ ଅଭିଯୋଗ ଦାଖଲ କରିଛନ୍ତି ଏବଂ ଏହା ଉପରେ ଅଧ୍ୟକ୍ଷ ବିବେଚନା କରୁଛନ୍ତି। ଏହାର ଜବାବ ଦେବାକୁ ଯାଇ ଟି.ଏମ୍.ସି. ସାଂସଦ ସୁଖେନ୍ଦ ଶେଖର ରଏ କହିଥିଲେ, ସଭା ଗୃହ ଭିତରେ ଥିବା ତାଙ୍କ ଜିନିଷପତ୍ର ନେବା ପାଇଁ ସେ ଆସିବା ପାଇଁ ଉଦ୍ୟମ କଲାବେଳେ ତାଙ୍କୁ ବାଧା ଦିଆଯିବାରୁ ଏଭଳି ଘଟଣା ଘଟିଛି କିନ୍ତୁ ଅଯଥାରେ ସାଂସଦଙ୍କୁ ଦୋଷ ଦିଆଯାଉଛି। ଏହାର ଜବାବରେ କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଆବାସ ନକ୍ବୀ କହିଲେ, ସଭାଗୃହରେ ପ୍ରତିବାଦ କରିବା ପାଇଁ ସରକାରଙ୍କର କୌଣସି ଆପତ୍ତି ନାହିଁ କିନ୍ତୁ ମାରଧର କରିବା କଦାପି ଉଚିତ ନୁହେଁ।