ଭାରତରେ ଏବେ ଖୋଲୁନାହିଁ ଟେସଲାର ପ୍ଲାଣ୍ଟ, ଟ୍ୱିଟ କରି ସୂଚନା ଦେଲେ ଏଲନ ମସ୍କ
ନୂଆଦିଲ୍ଲୀ : ଆମେିରକାର ଲୋକପ୍ରିୟ ଇଲେକ୍ଟ୍ରିକ କାର ନିର୍ମାଣ କରୁଥିବା କମ୍ପାନୀ ଟେସଲାର ଭାରତ ଏଣ୍ଟ୍ରିକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି କମ୍ପାନୀର ସିଇଓ ଏଲନ ମସ୍କ। ଭାରତରେ ନିକଟ ଭବିଷ୍ୟତରେ ଟେସଲା କୌଣସି ପ୍ଲାଣ୍ଟ ଖୋଲୁନାହିଁ ବୋଲି ସେ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି ।
ସେ ଟ୍ୱିଟରେ କହିଛନ୍ତି ଯେ ଯେଉଁ ପର୍ୟ୍ୟନ୍ତ ଏଠାରେ କାରର ବିକ୍ରି ଓ ସର୍ଭିସିଂ ପାଇଁ ଅନୁମତି ଦିଆଯାଇନାହିଁ, ସେ ପର୍ୟ୍ୟନ୍ତ ଏଠାରେ କୌଣସି ପ୍ଲାଣ୍ଟର ସ୍ଥାପନ ହେବ ନାହିଁ । ମସ୍କ ଟ୍ୱୁଟରରେ ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ଟ୍ୱୁଟ କରିଥିଲେ । ୟୁଜର୍ସ ଜଣକ ଭାରତରେ ଟେସଲା ପ୍ଲାଣ୍ଟ ନିର୍ମାଣ ଯୋଜନା ସମ୍ପର୍କରେ ଏଲନ ମସ୍କଙ୍କୁ ପ୍ରଶ୍ନ କରିଥିଲେ । କେବଳ ଭାରତ ନୁହେଁ ଟେସଲା ଏମିତି କୌଣସି ବି ସ୍ଥାନରେ ପ୍ଲାଣ୍ଟର ସ୍ଥାପନ କରିବ ନାହିଁ, ଯେଉଁଠି ପ୍ରଥମେ କାର ବିକ୍ରି ଓ ସର୍ଭିସିଂ ପାଇଁ ଅନୁମତି ଦିଆଯାଇନାହିଁ । ମସ୍କଙ୍କ ଏହି ଟ୍ୱୁଟରେ ସ୍ପଷ୍ଟ କରିଛି ଯେ ଭାରତ ଓ ଟେସଲା ମଧ୍ୟରେ ଦେଶରେ କାର ଉତ୍ପାଦନ ପ୍ଲାଣ୍ଟ ସ୍ଥାପନ ନେଇ କୌଣସି ରାସ୍ତା ଖୋଲନାହିଁ ।