ସୋପୋରରେ ଆତଙ୍କବାଦୀ ଆକ୍ରମଣ : ଦୁଇ ପୋଲିସ କର୍ମୀ ସହିଦ୍, ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ
ବାରାମୁଲା : ଉତର କାଶ୍ମୀରର ବାରାମୁଲା ଜିଲ୍ଲାର ସୋପୋରର ମୁଖ୍ୟ ଚୌକ ଉପରେ ଶନିବାର ଆତଙ୍କବାଦୀ ମାନେ ଏକ ପୋଲିସ ଟିମ୍ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ସହିଦ୍ ହୋଇଛନ୍ତି । ୨ ଜଣ ପୋଲିସ କର୍ମୀଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଘଟଣା ପରେ ଆତଙ୍କବାଦୀ ମାନେ ସେଠାରୁ ଫେରାର୍ ହୋଇଯାଇଛନ୍ତି ।
ସୂଚନା ମୁତାବକ, ଶନିବାର ଦିନ ଦ୍ୱି ପ୍ରହରରେ ସୋପରର ମୁଖ୍ୟ ପୋଲିସ ଚୌକରେ ମୁତୟନ ଥିବା ପୋଲିସ ଟିମ୍ ଉପରେ ଆତଙ୍କବାଦୀ ମାନେ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ସମୟରେ ପୋଲିସ ଚୌକ ନିକଟରେ ପୋଲିସ ଟିମ୍ ବ୍ୟତୀତ କିଛି ସ୍ଥାନୀୟ ଲୋକ ମଧ୍ୟ ଉପସ୍ଥିତ ଥିଲେ । ଆତଙ୍କବାଦୀ ମାନେ ଆଖିବୁଜା ଗୁଳିଚାଳନା କରିବା ସହ ସେଠାରୁ ଫେରାର୍ ହୋଇଯାଇଥିଲେ । ଏହି ଆକ୍ରମଣରେ ୪ ଜଣ ପୋଲିସ କର୍ମୀ ଓ ୩ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଉପ ଜିଲ୍ଲା ସୋପର ନିଆଯାଇଥିଲା । ହେଲେ ସେଠାରେ ଦୁଇ ଜଣ ପୋଲିସ କର୍ମୀ ଓ ଅନ୍ୟ ଦୁଇ ଜଣ ସାଧାରଣ ନାଗରିକଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ପୋଲିସ କର୍ମୀ ଓ ଜଣେ ନାଗରିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେମାନେ ଚିକିତ୍ସାଧିନ ରହିଛନ୍ତି । ଅନ୍ୟପକ୍ଷରେ ଘଟଣା ପରେ ସୁରକ୍ଷାବଳ ଆକ୍ରମଣକାରୀ ଆତଙ୍କବାଦୀଙ୍କ ଧରପଗଡ଼ ପାଇଁ ତଲାସୀ ଅଭିଯାନ ଜାରୀ ରଖିଛନ୍ତି ।