ଦିଲ୍ଲୀରେ ଭୟଙ୍କର ପରିସ୍ଥିତି ! ଘରୁ ବାହାରିଲେ ନିଶ୍ୱାସ ନେବାକୁ ଡରୁଛନ୍ତି ଲୋକେ, ବନ୍ଦ ହେଲା ସ୍କୁଲ୍
ନୂଆଦିଲ୍ଲୀ : ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି ଦିଲ୍ଲୀ ବାୟୂମଣ୍ଡଳ। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପ୍ରଦୂଷଣର ମାତ୍ରା। ଏୟାର ଇଣ୍ଡେକ୍ସ କ୍ୱାଲିଟି ଅର୍ଥାତ ବାୟୁର ଗୁଣବତ୍ତା ଯାହା ଗତକାଲି ୩୦୦ ରୁ ୩୫୦ ମଧ୍ୟରେ ସୀମିତ ଥିଲା ତାହା ବର୍ତ୍ତମାନ ୪୦୦ରେ ପହଞ୍ଚିଛି। ଦିଲ୍ଲୀ-ଏନସିଆରର ପ୍ରଦୂଷଣ ବର୍ତ୍ତମାନ ଦିଲ୍ଲୀବାସୀଙ୍କୁ ଅତିଷ୍ଠ କରିଦେଇଛି। AQI କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ଯେଉଁ କାରଣରୁ ଗ୍ରେପ୍-୩ କାର୍ଯ୍ୟ କରିବାକୁ ପଡ଼ିବା ନେଇ ସୂଚନା ମିଳିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଏକ ପୋଷ୍ଟରେ କହିଛନ୍ତି ପ୍ରତିକୂଳ ପାଣିପାଗ ପରିସ୍ଥିତି ଏବଂ ପଞ୍ଜାବ ହରିୟାଣାରେ ପରାଲି ଜଲାଯିବା କାରଣରୁ ଦିଲ୍ଲୀରେ ଏବ ପ୍ରଦୂଷଣର ମାତ୍ରା ବୃଦ୍ଧି ହେବାରେ ଲାଗିଛି। ଏନେଇ ଲୋକଙ୍କ ଶ୍ୱାସକ୍ରିୟାରେ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବା ଚେତାବନୀ ଦେଇଛନ୍ତି ଡାକ୍ତର। ଏଥି ସହିତ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର ଆହୁରି ବୃଦ୍ଧି ପାଇବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।
ଏବେ ବାୟୁର ଗୁଣବତ୍ତା AQI ୪୦୦ଅତିକ୍ରମ କରିଛି। ଏ ନେଇ ଦିଲ୍ଲୀ ସରକାର ଗ୍ରେପ-୩ ଲାଗୁ କରିଛନ୍ତି। ତେଣୁ ପ୍ରାଥମିକ ଶ୍ରେଣୀରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ ଦୁଇ ଦିନ ପାଇଁ ବନ୍ଦ ରହିଛି। ସେପଟେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଜରୁରୀକାଳୀନ ବୈଠକ ଡାକିଛନ୍ତି। ଏହି ବୈଠକରେ ପ୍ରଦୂଷଣ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ। ଗୋପାଳ ରାୟ କହିଛନ୍ତି ଯେ ଗତ ୨୦୦ ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ବହୁତ ଭଲ ଥିଲା, କିନ୍ତୁ ବର୍ତ୍ତମାନ ଆସନ୍ତା ୧୫ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।