ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ; ୯ ଶିଶୁ ସମେତ ୧୯ ଜୀବନ୍ତ ଦଗ୍ଧ
ୱାଶିଂଟନ୍ : ଆମେରିକାର ନ୍ୟୁୟର୍କ ସହରର ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୯ ଶିଶୁଙ୍କ ସମେତ ମୋଟ ୧୯ ଜଣଙ୍କର ମୃତ୍ୟୁ ଘଟିଛି, ଅନେକ ଲୋକ ଆହତ ହୋଇଛନ୍ତି। ବିଦ୍ୟୁତ ହିଟର କାରଣରୁ ନିଆଁ ଲାଗି ଏପରି ଭୟଙ୍କର ରୂପ ନେଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ନ୍ୟୁୟର୍କ ସହରର ଅଧିକାରୀଙ୍କ ଅନୁସାରେ, ରବିବାର ଆପାର୍ଟମେଣ୍ଟର ବିଲ୍ଡିଂର ଦ୍ୱିତୀୟ ମହଲାରେ ଥିବା ଏକ ଡୁପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ଦେଖୁ ଦେଖୁ ନିଆଁ ତୃତୀୟ ମହଲାକୁ ବ୍ୟାପିଗଲା। ଏହି ଅଗ୍ନିକାଣ୍ଡରେ ୯ ପିଲାଙ୍କ ସମେତ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଅନେକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ତାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ୨୦୦ ଅଗ୍ନିଶମ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ସଂଘର୍ଷ କରିବାକୁ ପଡ଼ିଥିଲା। ବିଲଡିଂରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ରବିବାର ସକାଳେ ବିଲ୍ଡିଂର ଫାୟାର ଆଲାର୍ମ ବାଜିବା ଯୋଗୁଁ ସେ ଉଠିଲେ, କିନ୍ତୁ ସେ ଧ୍ୟାନ ଦେଲେ ନାହିଁ। କାରଣ ଅତୀତରେ ଅନେକ ଥର ଭୁଲରେ ଆଲାର୍ମ ବାଜିଥିଲା। ଏହା ପରେ ତାଙ୍କ ଫୋନରେ ନିଆଁ ଲାଗିବାର ସୂଚନା ଆସିଲା, ପରେ ସେ ନିଶ୍ଚିତ ହୋଇଗଲେ ଯେ ବିଲ୍ଡିଂରେ ନିଆଁ ଲାଗିଯାଇଛି।
ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୧୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ବୋଲି ନ୍ୟୁୟର୍କର ଅଗ୍ନିଶମ ବିଭାଗର କମିଶନର ଡାନିଏଲ ନେଗ୍ରୋ କହିଛନ୍ତି। ଏହି ଅଗ୍ନିକାଣ୍ଡରେ ଅତି କମରେ ୬୦ ଜଣ ଆହତ ହୋଇଛନ୍ତି। ନାଗ୍ରୋ ଏହି ଘଟଣାକୁ ହାପି ଲ୍ୟାଣ୍ଡ ସୋସିଆଲ କ୍ଲବ ଅଗ୍ନିକାଣ୍ଡ ସହିତ ତୁଳନା କରିଛନ୍ତି। ୧୯୯୦ ମସିହାରେ ହୋଇଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତି ତାଙ୍କ ପୂର୍ବ ଗର୍ଲଫ୍ରେଣ୍ଡଙ୍କ ସହ ଯୁକ୍ତିତର୍କ କରିବା ପରେ କ୍ଲବ ବିଲ୍ଡିଂରେ ନିଆଁ ଲଗାଇ ଦେଇଥିଲେ। ଯେଉଁଥିରେ ୮୭ ଜଣଙ୍କର ମୃତ୍ୟୁ ଘଟିଥିଲା।