ପ୍ରକାଶ ପାଇଲା ନବମ ଓ ଦଶମ ଶ୍ରେଣୀ ନିମନ୍ତେ ଟର୍ମ – ୨ ଓଷ୍ଟା ଟେଷ୍ଟ ପେପର୍
କଟକ : ରାଜ୍ୟର ଅଭିଜ୍ଞ ଶିକ୍ଷକ, ଶିକ୍ଷାବିତ୍ ଓ ବିଷୟ ବିଶାରଦମାନଙ୍କ ଦ୍ୱାରା ପ୍ରସ୍ତୁତ ନବମ ଓ ଦଶମ ଶ୍ରେଣୀ ଟର୍ମ – ୨ ଓଷ୍ଟା ଟେଷ୍ଟପେପର ଆସନ୍ତା କାଲି ପ୍ରକାଶିତ ହେବାକୁ ଯାଉଛି । ୨୦୨୨-୨୩ ଶିକ୍ଷାବର୍ଷର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଦ୍ୱିତୀୟ ଅର୍ଦ୍ଧବାର୍ଷିକ ଅର୍ଥାତ୍ ଟର୍ମ-୨ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଅନେକ କଷ୍ଟ ସ୍ୱୀକାର କରି ଉକ୍ତ ଟେଷ୍ଟପେପରଟି ପ୍ରସ୍ତୁତ କରିଛି । ୭୦ ବର୍ଷର ଅଭିଜ୍ଞତାକୁ ଭିତ୍ତିକରି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଷ୍ଟାଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷାବିତ୍ ଓ ଅଭିଭାବକ ମହଲରେ ବେଶ୍ ଆଦୃତି ଲାଭ କରିବ ବୋଲି ଓଷ୍ଟାର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ସମ୍ବାଦିକ ସମ୍ମିଳନୀରେ ଦୃଢ଼ତାର ସହିତ କହିଛନ୍ତି । ଦୁଇବର୍ଷର କରୋନା କରାଳତା ପରେ ଚଳିତ ବର୍ଷ ପରୀକ୍ଷା ଓ ଶିକ୍ଷାଦାନ ପଦ୍ଧତି ସ୍ୱଭାବିକ ହୋଇ ଆସୁଥିବା ବେଳେ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାକୁ ସେମିଷ୍ଟର ଢାଂଚାରେ ଦୁଇଟି ଟର୍ମ ବା ଦୁଇଟି ସମେଟିଭ୍ ଆସେସ୍ମେଣ୍ଟରେ ବିଭକ୍ତ କରିଛନ୍ତି । ପ୍ରଥମ ସୋପାନ ପରି ଦ୍ୱିତୀୟ ସୋପାନ ପରୀକ୍ଷାରେ ମଧ୍ୟ ଉଦ୍ଦିଷ୍ଟ ୫୦ ଭାଗ ପାଠ୍ୟଖସଡ଼ା ମଧ୍ୟରୁ ବହୁବିକଳ୍ପ ପ୍ରଶ୍ନ ସମ୍ବଳିତ ୫୦ ନମ୍ବର ଓ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ୩୦ ନମ୍ବର ରଖାଯାଇଛି । ଉଭୟ ସମେଟିଭ୍ ଆସେସ୍ମେଣ୍ଟ -୧ ଓ ସମେଟିଭ୍ ଆସେସ୍ମେଣ୍ଟ -୨ ପରୀକ୍ଷାରୁ ୪୦ ଶତକଡ଼ା ଲେଖାଏଁ ମାର୍କ ଓ ବିଦ୍ୟାଳୟରୁ ଆସିଥିବା ୨୦ ଶତକଡ଼ା ଆଭ୍ୟନ୍ତରୀଣ ମୂଲ୍ୟାୟନ ୨୦ ମାର୍କକୁ ଆଧାର କରି ମାଧ୍ୟମିକ ଶିକ୍ଷାପରିଷଦ ଚଳିତ ବର୍ଷ ରେଜଲ୍ଟ ନିର୍ଦ୍ଧାରଣ କରିବେ ବୋଲି ପୂର୍ବରୁ ସୂଚନା ଦେଇ ସାରିଛନ୍ତି । ବୋର୍ଡ଼ ନିର୍ଦ୍ଧାରିତ ଏହି ନୂତନ ବ୍ୟବସ୍ଥା ଆଧାରରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପୂର୍ବରୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରଥମ ସୋପାନ ବା ଟର୍ମ-୧ ବୋର୍ଡ଼ ପରୀକ୍ଷା ପାଇଁ ଟେଷ୍ଟପେପର୍ ପ୍ରକାଶ କରିଥିଲା । ବର୍ତ୍ତମାନ ଦ୍ୱିତୀୟ ସୋପାନ ବା ଟର୍ମ-୨ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ନବମ ଓ ଦଶମ ଶ୍ରେଣୀର ଟେଷ୍ଟପେପର୍ ଆସନ୍ତା ଡିସେମ୍ବର ୧୯ ତାରିଖ ଦିନ ରାଜ୍ୟ କାର୍ଯ୍ୟାଳୟ ନୟାସଡ଼କ, କଟକ ଠାରେ ପ୍ରକାଶିତ ହୋଇ ବିକ୍ରୟ ପାଇଁ ବଜାରରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ତଥା ପରିମାଣାତ୍ମକ ଅଭିବୃଦ୍ଧି ପାଇଁ ରାଜ୍ୟର ଅଗଣିତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷାବିତ୍ ଏହାର ଉପଯୋଗରେ ସହାୟକ ହେବେ ବୋଲି ଓଷ୍ଟାର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ସମେତ କାର୍ଯ୍ୟକାରୀ ସଭାପତି ଭିକାରି ଚରଣ ସାହୁ, ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ଯୁଗ୍ମ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ଏବଂ ଟେଷ୍ଟପେପର ସଂପାଦକ ବିନାୟକ ପରିଡ଼ା ପ୍ରମୁଖ ଅନୁରୋଧ କରିଛନ୍ତି ।