ଛାତ୍ରୀ ନିବାସର ୧୦ଜଣ କରୋନା ଆକ୍ରାନ୍ତ
ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ବାଲିପଟା ପଞ୍ଚାୟତ ଗାର୍ଲସ ହାଇସ୍କୁଲ ଛାତ୍ରୀନିବାସର ୧୦ଜଣ ଛାତ୍ରୀ କରୋନା ଆକ୍ରାନ୍ତ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ସ୍କୁଲ ଖୋଲାଥିବାବେଳେ ଛାତ୍ରୀଙ୍କର ଆଜି ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ଏହି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ୧୦ ଛାତ୍ରୀ କରୋନା ପଜିଟିଭ ଥିବା ସୂଚନା ମିଳିଛି। ତେବେ ଏମାନଙ୍କ ନମୁନା ଆରଟିପିସିଆର ପାଇଁ ପଠାଯାଇଥିବାବେଳେ ସମସ୍ତ ଛାତ୍ରୀଙ୍କୁ ଆଇସଲେସନରେ ରକାହାଯାଇଥିବା ଜଣାପଡିଛି। ଜିଲ୍ଲାର ସମସ୍ତ ରେସିଡେନସିଆଲ ଓ ନନ୍ ରେସିଡେନସିଆଲ ଶିକ୍ଷାନୁଷ୍ଠାନରେ ନିୟମିତ ବ୍ଯବଧାନରେ ଟେଷ୍ଟିଙ୍ଗ ପାଇଁ ଏସଓପି ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ବାଲିପଟା ଆଦିବାସୀ ବାଳିକା ହଷ୍ଟେଲରେ ଅନ୍ତେବାସୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ଏହା ଜଣା ପଡିଥିଲା। ଫଳରେ ହଷ୍ଟେଲରେ ରହୁଥିବା ପ୍ରାୟ ୬୫ ଜଣଙ୍କ ଆରଟିପିସିଆର ଟେଷ୍ଟ ପାଇଁ ନମୁନା ପଠାଯାଇଛି । ପ୍ରଥମେ ଆଣ୍ଟିଜେନ ଟେଷ୍ଟ ପରେ ୧୦ ଜଣ ସଂକ୍ରମିତ ଥିବା ଜଣାପଡିବା ପରେ ଅନ୍ୟ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ ପାଇଁ ନମୁନା ପଠାଯାଇଛି । ସଂକ୍ରମିତଙ୍କୁ ସଂଗରୋଧରେ ରଖାଯାଇଛି । ଆସନ୍ତାକାଲି ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ। ଆସନ୍ତାକାଲି ଠାରୁ ମିଶନ ମୋଡ଼ରେ ଜିଲ୍ଲାରେ ଥିବା ସମସ୍ତ ଆବାସିକ ସ୍କୁଲ ଓ ହଷ୍ଟେଲମାନଙ୍କରେ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଅନୁଗୋଳ ଜିଲ୍ଲାରେ କୋରୋନା ସ୍ଥିତି ସମ୍ପୂର୍ଣ୍ଣ ଆୟତାଧିନ ଥିଲା। ଆଜି ହଠାତ ଏସଟି ହଷ୍ଟେଲରେ ଏତେ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢି ଯାଇଛି।