ଇଂଲଣ୍ଡକୁ ହରାଇବାର କ୍ଷମତା ରଖିଛି ଟିମ୍ ଇଣ୍ଡିଆ : ଇୟାନ ଚାପେଲ
ମେଲବର୍ଣ୍ଣ : ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଇୟାନ ଚାପେଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜକୁ ନେଇ ବଡ ବୟାନ ଦେଇଛନ୍ତି । ଚାପେଲ କହିଛନ୍ତି, ଇଂଲଣ୍ଡକୁ ତାର ମାଟିରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ହରାଇବା ପାଇଁ ଭାରତ ନିକଟରେ ଶକ୍ତିଶାଳୀ ବୋଲିଂ ମହିନୀ ଅଛି । ସେ କହିଛନ୍ତି, ‘ଅବଶ୍ୟ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ଠାରୁ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଟାଇଟଲ ହାରିଛି ତଥାପି ଦଳର ପେସ୍ ବାହିନୀ ବେଶ ପ୍ରଭାବୀ ଏବଂ ମ୍ୟାଚ ଜିତାଇବାର କ୍ଷମତା ରଖିଛନ୍ତି । ଯାହାକି ବିଗତ ଦିମାନଙ୍କରେ ଓ୍ବେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ଦଳ ନିକଟରେ ଥିଲା । ଭାରତୀୟ ଟିମ ସମ୍ପ୍ରତି ବିଶ୍ବର କୁଶଳୀ ଟିମ । ଦଳର ପେସ୍ ଆଟାକ୍ ଉଚ୍ଚ କୋଟୀର । ଏହାର ପରିଣାମ ସ୍ବରୂପ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଦଳକୁ ହରାଇ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପ୍ରବେଶ କରିଥିଲା । ଏବେ ଭାରତ ନିକଟରେ ଇଂଲଣ୍ଡକୁ ତାର ଘରୋଇ ମାଟିରେ ହରାଇବାର ସୁଯୋଗ ରହିଛି ବୋଲି କହିଛନ୍ତି ଇୟାନ ଚାପେଲ । ସେହିପରି ଭାରତ ପକ୍ଷରୁ ବିଗତ ଦିନରେ ମହମ୍ମଦ ସାମୀ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରାହ, ମହମ୍ମଦ ସିରାଜଙ୍କ ଭଳି ଦ୍ରୁତ ବୋଲର ବେଶ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ତେଣୁ ଏହି ୪ ଜଣିଆ ପେସ୍ ବାହିନୀ ଇଂଲଣ୍ଡ ପାଇଁ ଚିନ୍ତାର କାରଣ ହୋଇପାରନ୍ତି । ସେପଟେ ନ୍ୟୁଜିଲାଣ୍ଡର ପେସ୍ ବାହିନୀଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇୟାନ ଚାପେଲ । ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ବିଜୟ ପଛରେ ଦୃତ ବୋଲରମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା କହିଛନ୍ତି ଚାପେଲ । ଟିମ୍ ସାଉଦୀ, ଟ୍ରେଷ୍ଟ ବୋଲ୍ଟ, ନୀଲ ଓ୍ବାଗନର ଏବଂ କାଇଲ ଜିମିସନଙ୍କ ୪ ଜଣିଆ ଯୋଡି ବିଶ୍ବ ବିଜୟୀ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ସୂଚନା ଯେ, ଇଂଲିସ୍ ମାଟିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୨୦୧୮ରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଇଥିଲା । ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ ୧-୪ରେ ସିରିଜ୍ ହାରିଥିଲା । ଇଂଲଣ୍ଡ ମାଟିରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୬୩ ଟି ଟେଷ୍ଟ ମ୍ୟାଚ ଖେଳିସାରିଛି । ସେଥିମଧ୍ୟରୁ ୩୫ଟିରେ ପରାଜୟ ବରଣ କରିଥିବା ବେଳେ ମାତ୍ର ୭ଟି ଟେଷ୍ଟ ମ୍ୟାଚ୍ ଜିତିପାରିଛି ଏବଂ ୨୧ଟି ମ୍ୟାଚ ଡ୍ର ରହିଛି । ଶେଷ ଥର ପାଇଁ ୨୦୦୭ ମସିହାରେ ରାହୁଲ ଦ୍ରାବିଡଙ୍କ ନେତୃତ୍ବଧୀନ ଟିମ ଇଣ୍ଡିଆକୁ ଇଂଲଣ୍ଡ ମାଟିରେ ଜିତାପଟ ମିଳିଥିଲା ।