ତପସ୍ବିନୀ-ସୁମିତ ବିବାହ ମାମଲା : ୨୦କୁ ଘୁଞ୍ଚିଲା ଶୁଣାଣି
ବ୍ରହ୍ମପୁର : ବହୁଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲା ସମାଧାନ ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି। ଶୁକ୍ରବାର ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ତପସ୍ବିନୀ ଦାଶଙ୍କ ତରଫରୁ ରୁଜୁ କରାଯାଇଥିବା ପିଟିସନ୍ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏଣୁ ତପସ୍ବିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହିତ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର ହୋଇଥିଲେ। ସଂଧ୍ୟାରେ ବ୍ରହ୍ମପୁର ଏସ୍ଡିଜେଏମ୍ ନିର୍ଦେଶନାମା ଜାରି କରିଛନ୍ତି। ଗତ ମାସ ୨୬ ତାରିଖରେ ରୁଜୁ ହୋଇଥିବା ପିଟିସନ୍ର ଶୁଣାଣି ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଶ୍ବଶୁର ଘରେ ରହିବାକୁ ଅନୁରୋଧ କରି ତପସ୍ବିନୀ ପିଟିସନ୍ ରୁଜୁ କରିଥିଲେ। ସେପଟେ ଡା. ସୁମିତ ସାହୁ କୋର୍ଟଙ୍କ ନିର୍ଦେଶ ଅବମାନନା କରିଥିବା ନେଇ ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ, ପ୍ରଦୀପ କୁମାର ବେହେରା କୋର୍ଟରେ ଶୁକ୍ରବାର ଆଉ ଏକ ପିଟିସନ୍ ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦେଶ ଅବମାନନା କରିଥିବା ଯୋଗୁ ଡା. ସୁମିତଙ୍କ ବିରୋଧରେ କ୍ରିମିନାଲ୍ କେସ୍ ରୁଜୁ କରିବାକୁ ଅନୁରୋଧ କରାଯାଇଥିଲା। ଏହା ସହିତ ଡା. ସୁମିତ ପତ୍ନୀ ତପସ୍ବିନୀଙ୍କ ରହିବା ପାଇଁ ବ୍ୟବସ୍ଥା କରିନାହାନ୍ତି। ଏଣୁ ମାମଲାର ଫଇସଲା ପର୍ଯ୍ୟନ୍ତ ତାଙ୍କୁ ଶ୍ବଶୁର ଘରେ ରହିବାକୁ ଅନୁମତି ଦିଆଯାଉ ଏବଂ ମାସିକ ୫୦ ହଜାର ଟଙ୍କା ଭରଣପୋଷଣ ବାବଦରେ ଅର୍ଥ ଦେବାକୁ ପିଟିସନ୍ରେ ଉଲ୍ଲେଖ କରାଯାଇଛି।
ଏହି ପିଟିସନ୍ ଶୁଣାଣି କରି କୋର୍ଟ ଥାନାରେ ଅଭିଯୋଗ କରିବାକୁ ନିର୍ଦେଶ ଦେଇଥିଲେ। ଏହା ସହିତ ପରବର୍ତ୍ତୀ ସମୟରେ କୋର୍ଟରେ ମଧ୍ୟ ପିଟିସନ୍ ଆବେଦନ କରି ପାରିବେ ବୋଲି ନିର୍ଦେଶ ଦେଇଛନ୍ତି। ଏଭଳି ନିର୍ଦେଶ ଜାରି ହେବା ପରେ ତପସ୍ବିନୀ ପୁଣିଥରେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ରାତି ପ୍ରାୟ ୯ଟା ବେଳେ ତପସ୍ବିନୀ ସମାଜସେବୀ ପ୍ରମିଳାଙ୍କ ସହିତ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍ ସ୍ଥିତ ଶ୍ବଶୁର ଘର ଆଗରେ ବସିଛନ୍ତି। ତପସ୍ବିନୀ ନ୍ୟାୟ ପାଇବା ପାଇଁ ପୁଣିଥରେ ତପସ୍ୟା ଆରମ୍ଭ କରିଥିବା ସାଧାରଣରେ ଆଲୋଚନା ହେଉଛି।
ସୁମିତ ଆଜି ମଧ୍ୟ କୋର୍ଟରେ ଅନୁପସ୍ଥିତ ଥିଲେ। ସେ ଗତ ୧୦ତାରିଖରୁ ନିଖୋଜ ରହିଛନ୍ତି। ଦେହ ଅସୁସ୍ଥ ଥିବାରୁ ସେ ଛୁଟିରେ ରହିଥିବା ନେଇ ଗତକାଲି ଏକ ଅଡ଼ିଓ ଟେପ୍ ଜାରି କରିଥିଲେ। ସେ କୋର୍ଟଙ୍କ ନିର୍ଦେଶ ପାଳନ କରୁଛନ୍ତି। ତାଙ୍କୁ ଅଯଥାରେ ବଦନାମ ନ କରିବା ପାଇଁ ଅନୁରୋଧ କରିଥିଲେ। ତେବେ ଶୁକ୍ରବାର ସୁମିତଙ୍କ ତରଫରୁ ଆଇନଜଜୀବୀ ଦେବସ୍ନାନ ଦାଶ ଜିଲ୍ଲାଜଜ୍ କୋର୍ଟରେ ଏକ ପିଟିସନ୍ ରୁଜୁ କରିଛନ୍ତି। ବ୍ରହ୍ମପୁର ଏସ୍ଡିଜେଏମ୍ ଗତ ୨ ଓ ୯ତାରିଖରେ ଦେଇଥିବା ନିର୍ଦେଶକୁ ଚାଲେଞ୍ଜ କରି ଜିଲ୍ଲାଜଜ୍ କୋର୍ଟରେ ଅପିଲ୍ କରାଯାଇଛି। ଏସ୍ଡିଜେଏମ୍ ଦେଇଥିବା ନିର୍ଦେଶ ଖାରଜ କରିବା ପାଇଁ ଅନୁରୋଧ କରାଯାଇଥିବା ଆଇନଜୀବୀ ଦାଶ କହିଛନ୍ତି। ଏହି ପିଟିସନ୍ର ଶୁଣାଣି ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ତପସ୍ବିନୀ ବଧୂ ନିର୍ଯାତନା ମାମଲା ରୁଜୁ କରିଛନ୍ତି। ସେପଟେ କୋର୍ଟରେ ଛାଡ଼ପତ୍ର ମାମଲା ମଧ୍ୟ ବିଚାରାଧୀନ ରହିଛି। ଏଣୁ ତପସ୍ବିନୀ ସୁମିତଙ୍କ ସହିତ ରହିବା କେତେଦୂର ସମୀଚିନ ହେବ, ସେ ଦିଗରେ ବିଚାର କରିବାକୁ ଆବେଦନ କରାଯାଇଛି।
ଗତ ୯ ତାରିଖରେ ବ୍ରହ୍ମପୁର ଏସ୍ଡିଜେଏମ୍ ତପସ୍ବିନୀଙ୍କ ପିଟିସନ୍ ଉପରେ ଶୁଣାଣି କରି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଏକାଠି ଭଡ଼ାଘରେ ରହିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ୧୦ ତାରିଖ ସକାଳୁ ଡା. ସୁମିତ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ ଦିନର ଛୁଟି ଆବେଦନ କରି କୁଆଡ଼େ ଚାଲି ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ସାମ୍ନାକୁ ଆସୁ ନ ଥିବା ପତ୍ନୀ ତପସ୍ବିନୀ ଅଭିଯୋଗ କରିଛନ୍ତି। ସେ ପ୍ରଥମ ପର୍ଯ୍ୟାୟରେ ୫ ଦିନ ଛୁଟି ନେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୮ ଦିନ ଛୁଟି ନେଇଛନ୍ତି। ସୁମିତ ଫେରୁ ନ ଥିବାରୁ ବାଧ୍ୟ ହୋଇ ଶୁକ୍ରବାର ତପସ୍ବିନୀ ଆସିକା ଚିନିକଳ ଆଇବି ଛାଡ଼ିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ସେ ତାଙ୍କର ଜିନିଷପତ୍ର ଧରି ବ୍ରହ୍ମପୁର ଫେରି ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘର ଆଗରେ ବସିଛନ୍ତି।