ବନ୍ଦୀ ୨୩ ଶହରୁ ଅଧିକ ହାର୍ଡକୋର୍ ଆତଙ୍କବାଦୀଙ୍କୁ ମୁକ୍ତ କଲା ତାଲିବାନ
କାବୁଲ : ଆଫଗାନିସ୍ତାନକୁ ଅକ୍ତିଆର କରି ତାଲିବାନ ନିଜକୁ ନୂଆ ସରକାର ଭାବେ ଘୋଷଣା କରିସାରିଛି । ତାଲିବାନ କ୍ଷମତାକୁ ଆସିବା ପରେ ଏବେ ଆଫଗାନିସ୍ତାନର ସ୍ଥିତି ଖରାପ ହେବାରେ ଲାଗିଛି। ଲୋକେ ଘର ଛାଡ଼ିବାକୁ ବାଧ୍ୟ ହେଉଥିବା ବେଳେ ମହିଳାଙ୍କ ଜୀବନ ପ୍ରତି ବିପଦ ବଢ଼ିଛି। ଏହାରି ମଧ୍ୟରେ ଆଫଗାନିସ୍ତାନର ବିଭିନ୍ନ ଜେଲ୍ରେ ବନ୍ଦୀ ଥିବା ୨୩ ଶହରୁ ଅଧିକ ହାର୍ଡକୋର୍ ଆତଙ୍କବାଦୀଙ୍କୁ ତାଲିବାନ ଖଲାସ କରିଛି।
କ୍ଷମତା ଦଖଲର ୨୪ ଘଣ୍ଟା ଭିତରେ ସମସ୍ତ ଆତଙ୍କବାଦୀଙ୍କୁ ଖଲାସ କରି ତାଲିବାନ ଆତଙ୍କ ସୃଷ୍ଟି କରିଛି। ଏହି ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ହଜାରେରୁ ଅଧିକ ଅଲ୍କାଏଦା ସଦସ୍ୟ ରହିଥିବାରୁ ବେିଶ୍ବିକ ଆତଙ୍କବାଦ ପୁଣି କାୟା ବିସ୍ତାର କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଶ୍ବ ସମୁଦାୟକୁ ବିଭ୍ରାନ୍ତ କରିବା ପାଇଁ ତାଲିବାନ କେତେକ ସକରାତ୍ମକ ବାର୍ତ୍ତା ଦେଉଥିଲେ ମଧ୍ୟ ଅସଲରେ ଏହାର ଉଦ୍ଦେଶ୍ୟ ଅତି ଭୟାନକ ଏବଂ ଆଫଗାନିସ୍ତାନରେ କୌଣସି ସାଧାରଣ ନାଗରିକ ଆଉ ନିରାପଦ ନୁହନ୍ତି ବୋଲି ଏହା ପ୍ରମାଣିତ କରିଛି। ଅଗଷ୍ଟ ୧୫ ତାରିଖରୁ ତାଲିବାନ କାବୁଲ ଦଖଲ ସହ ସମଗ୍ର ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇଛି ଏବଂ ନିଜର ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ଘୋଷଣା କରିଛି। ଏବେ ଅଫାଗାନିସ୍ତାନରୁ ଲୋକେ ପଳାୟନ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି।