ଟି-୨୦ ବିଶ୍ୱକପ୍: ବାଂଲାଦେଶକୁ ୫ ଓ୍ଵିକେଟ୍ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କଲା ଶ୍ରୀଲଙ୍କା
ଶାରଜା: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ ସୁପର୍-୧୨ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା। ରବିବାର ଖେଳାଯାଇଥିବା ମୁକାବିଲାରେ ଚରିତ ଅଶାଲଙ୍କା ଓ ଭାନୁକା ରାଜପାକସାଙ୍କ ଦମଦାର ବ୍ୟାଟିଂ ବଳରେ ଶ୍ରୀଲଙ୍କା ୫ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ମହମ୍ମଦ ନଇମ ଓ ମୁଶଫିକର ରହିମଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ ୪ ୱିକେଟରେ ୧୭୧ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ୧୮.୫ ଓଭରରେ ୫ ୱିକେଟ୍ ହରାଇ ୧୭୨ ରନ୍ କରି ମ୍ୟାଚକୁ ଜିତି ନେଇଛି।
ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ଟସ୍ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୭୧ ରନ୍ କରିଛି। ବାଂଲାଦେଶର ଏହି ସ୍କୋର୍ରେ ମହମ୍ମଦ ନଇମ୍ ଓ ମୁଶଫିକର ରହିମ୍ଙ୍କ ଅର୍ଦ୍ଧଶତକ ସାମିଲ ରହିଛି। ବାଂଲାଦେଶ ପକ୍ଷରୁ ଶ୍ରୀଲଙ୍କାକୁ ୧୭୨ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ବାଂଲାଦେଶର ଇନିଂସ ଆରମ୍ଭ କରିଥିଲେ ମହମ୍ମଦ ନଇମ୍ ଓ ଲିଟ୍ନ୍ ଦାସ (୧୬ ରନ୍)। ଉଭୟ ଓପନର ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ଫଳରେ ପ୍ରଥମ ଓ୍ଵିକେଟ୍ରେ ୪୦ ରନ୍ ସଂଗ୍ରହ ହୋଇଥିଲା। ଦଳ ୫୬ ରନ୍ରେ ୨ୟ ଓ୍ଵିକେଟ୍ ଭାବେ ଶାକିବ୍ ଅଲ୍ ହାସନ୍ (୧୦ ରନ୍)ଙ୍କୁ ହରାଇଥିଲା। ୧୨୯ ରନ୍ରେ ୩ୟ ଓ ୧୫୦ ରନ୍ରେ ୪ର୍ଥ ୱିକେଟର ପତ୍ତନ ହୋଇଥିଲା। ଓପନର ମହମ୍ମଦ୍ ନଇମ୍ ସର୍ବାଧିକ ୬୨ ରନ୍ ସଂଗ୍ରହ କରିଥିଲେ। ସେ ୫୨ଟି ବଲ ଖେଳି ୬ଟି ଚୌକା ମାରିଥିଲେ। ସେହିପରି ମୁଶଫିକର ରହିମ୍ ୩୭ଟି ବଲ ଖେଳି ଅପରାଜିତ ୫୭ ରନ୍ କରିଥିଲେ। ଏଥିରେ ତାଙ୍କର ୫ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଦଳର ଅନ୍ୟ ଖେଳାଳି ଅସିଫ୍ ହୁସେନ୍ ୭ ରନ୍ ଓ ଅଧିନାୟକ ମହମ୍ମଦୁଲ୍ଲା ଅପରାଜିତ ୧୦ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଚମିକା କରୁଣାରତ୍ନେ, ବିନୁରା ଫର୍ଣ୍ଣାଡୋ ଓ ଲାହିରୁ କୁମାରା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୧୭୨ ରନର ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ପ୍ରଥମ ଓଭରରେ ଓପ୍ନର କୁଶଲ ପରେରା (୧)ଙ୍କ ୱିକେଟ୍ ହରାଇଥିଲା। ପଥୁମ ନିଶାଙ୍କ ଓ ଚରିତ ଅଶାଲଙ୍କା ଦ୍ୱିତୀୟ ୱିକେଟ୍ ପାଇଁ ୬୯ ରନର ଭାଗିଦାରୀ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ନିଶାଙ୍କ ୨୪ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ବାଂଲାଦେଶ ଲଗାତର ଦୁଇ ୱିକେଟ୍ ନେଇ ମ୍ୟାଚକୁ କମବ୍ୟାକ୍ କରିଥିଲା। ଅଭିସ୍କା ଫର୍ଣ୍ଣାଣ୍ଡୋ (୦)ଙ୍କୁ ସାକିବ୍ ଅଲ୍ ହାସନ୍ ଓ ୱାନିନ୍ଦୁ ହସରଙ୍ଗା (୬)ଙ୍କୁ ମହମ୍ମଦ ସୈଫୁଦ୍ଦିନ ପ୍ୟାଭିଲିୟନ୍ ପଠାଇଥିଲେ। ୭୯ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିବା ଶ୍ରୀଲଙ୍କା ପାଇଁ ଲଢ଼ିଥିଲେ ଅଶାଲଙ୍କା ଓ ରାଜପାକସା। ଦୁହେଁ ବାଂଲା ବୋଲରଙ୍କୁ ନିର୍ଧୁମ ଧୁଲେଇ କରିବା ସହ ପଞ୍ଚମ ୱିକେଟ୍ ପାଇଁ ୮୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଏହି ପାର୍ଟନରଶିପ୍ ଦଳକୁ ଜିତାଇବା ପାଇଁ ଯଥେଷ୍ଟ ଥିଲା। ରାଜପାକସା ୩୧ ବଲରେ ୩ ଚୌକା ଓ ୩ ଛକା ସହ ୫୩ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଅଶାଲଙ୍କା ୮୦ (୪୯ ବଲ୍, ୫ ଚୌକା, ୫ ଛକା) ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ନସୁମ୍ ଅହମ୍ମଦ ଓ ସାକିବ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।