ଟି-୨୦ ବିଶ୍ୱକପ: ବୁମ୍ରାଙ୍କ ସ୍ଥାନ ନେଲେ ଶାମି, ଷ୍ଟାଣ୍ଡବାଇରେ ସିରାଜ ଓ ଶାର୍ଦ୍ଦୁଲ
ମୁମ୍ବାଇ : ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ । ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି । ସେହିପରି ଷ୍ଟାଣ୍ଡବାଇରେ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ରଖାଯାଇଛି । ଆଜି ଏ ସମ୍ପର୍କରେ ବିସିସିଆଇ ସଂପାଦକ ଜୟ ଶାହ ଗୋଟିଏ ବିବୃତି ଜାରି କରି ସୂଚନା ଦେଇଛନ୍ତି । ଆଜି ହିଁ ଏହି ୩ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ଉଡ଼ାଣ ଭରିବେ ।
ବିଶ୍ୱକପ ପୂର୍ବରୁ ଆହତ ହୋଇଥିବା ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିବାକୁ ବିସିସିଆଇ ପାଖରେ ଅକ୍ଟୋବର ୧୫ ଯାଏ ସମୟ ରହିଥିଲା । ଏହାର ଦିନକ ପୂର୍ବରୁ ବିସିସିଆଇ ବହୁ ବିଚାରବିମର୍ଶ ପରେ ଶାମିଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ଦେଇଛି । ସେହିପରି ଭଲ ଫର୍ମରେ ଥାଇ ମଧ୍ୟ ମହମ୍ମଦ ସିରାଜ ଷ୍ଟାଣ୍ଡବାଇ ବା ବ୍ୟାକପ ଭାବେ ବିଶ୍ୱକପ ଟିମ୍ରେ ରହିବେ । ସିରାଜଙ୍କ ତୁଳନାରେ ଶାମିଙ୍କ ଅଭିଜ୍ଞତା ଅଧିକ । କିନ୍ତୁ ଶାମି ଫେବୃଆରୀ ମାସରୁ ଭାରତ ପାଇଁ ଟି-୨୦ କ୍ରିକେଟ ଖେଳି ନାହାନ୍ତି । ଏଥିସହ ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ସିରାଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି । ୩ଟି ମ୍ୟାଚ୍ରେ ସେ ୫ଟି ୱିକେଟ ନେଇ ମ୍ୟାନ ଅଫ ଦି ସିରିଜ ହାତେଇଥିଲେ । ତଥାପି ବିସିସିଆଇ ଅଷ୍ଟ୍ରେଲିଆରେ ଶାମିଙ୍କ ଅଭିଜ୍ଞତା କାମରେ ଆସିବ ବୋଲି ଆଶା କରି ତାଙ୍କୁ ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ଦେଇଛି । ଶାର୍ଦ୍ଦୁଲ ଠାକୁର ଅଲରାଉଣ୍ଡର ଭାବେ ଷ୍ଟାଣ୍ଡବାଇରେ ରହିବେ । ସେ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ବ୍ୟାକଅପ । ଏହାବାଦ ପୂର୍ବରୁ ଶ୍ରେୟସ ଆୟର ଓ ରବି ବିଷ୍ଣୋଇ ଷ୍ଟାଣ୍ଡବାଇ ତାଲିକାରେ ରହିଛନ୍ତି ।
ବିସିସିଆଇ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯିବା ସହ ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଘୋଷଣା କରାଯାଇଛି । ସାମି ଶୁକ୍ରବାରଦିନ ଅଷ୍ଟ୍ରେଲିଆର ବ୍ରିସବେନରେ ପହଂଚି ଟିମ ସହିତ ଯୋଗ ଦେଇସାରିଛନ୍ତି । ଶାର୍ଦ୍ଦୁଲ ଓ ସିରାଜ ଖୁବଶୀଘ୍ର ଅଷ୍ଟ୍ରେଲିଆରେ ପହଂଚିବେ । ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ନାମିବ୍ୟାକୁ ଭେଟିବ । ଆସନ୍ତା ୨୩ ଅକ୍ଟୋବରରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିରୋଧରେ ଖେଳିବ । ବିଶ୍ୱକପର ଫାଇନାଲ ମ୍ୟାଚ ଆସନ୍ତା ନଭେମ୍ବର ୧୩ରେ ଖେଳାଯିବ । ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବୁମରା ଆହତ ହୋଇଥିଲେ ଯାହାକୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସାଧାରଣ ଆଘାତ ବୋଲି ବର୍ଣ୍ଣନା କରିଥିଲେ । ତେବେ ପରେ ଜଣାପଡିଥିଲା ଯେ ବୁମରାଙ୍କ ଆହତ ଗୁରୁତର ଅଛି ଓ ସେ ପୁରା ଦକ୍ଷିଣ ଆଫ୍ରିକା ସିରିଜରୁ ବଂଚିତ ହୋଇଥିଲେ । ପରେ ତାଙ୍କୁ ବିଶ୍ୱକପ ଦଳରୁ ବି ବାଦ ଦିଆଯାଇଥିଲା ।