ଆଜି ଟି-୨୦ ବିଶ୍ୱକପ ଫାଇନାଲ : ଐତିହାସିକ ମେଲବର୍ଣ୍ଣ ଷ୍ଟାଡିୟମରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ, ନଜର ପକାନ୍ତୁ ସମ୍ଭାବ୍ୟ ଏକାଦଶ ଉପରେ
ମେଲବର୍ଣ୍ଣ : ଆଜି ଟି-୨୦ ବିଶ୍ୱକପ ଫାଇନାଲ ମୁକାବିଲା । ଟି-୨୦ ଫର୍ମାଟ୍ର ଦୁଇ ବଡ଼ ଦଳ ପାକିସ୍ତାନ ଓ ଇଂଲଣ୍ଡ ମୁକାବିଲା ଦେଖିବାକୁ ମିଳିବ । ଐତିହାସିକ ମେଲବର୍ଣ୍ଣ ଷ୍ଟାଡିୟମରେ ରବିବାର ମଧ୍ୟାହ୍ନ ସାଢେ ୧ଟାରେ ଆରମ୍ଭ ହେବ ମ୍ୟାଚ୍ । ଉଭୟ ପାକିସ୍ତାନ ଓ ଇଂଲଣ୍ଡ ଚମତ୍କାର ଢଙ୍ଗରେ ଫାଇନାଲ୍ ଆସିଛନ୍ତି। ସୁପର୍ ୧୨ ପର୍ଯ୍ୟାୟରେ ଦୁର୍ବଳ ଜିମ୍ବାୱେ ନିକଟରୁ ପାକିସ୍ତାନ ଏବଂ ପଡ଼ୋଶୀ ଆୟର୍ଲାଣ୍ଡ୍ ନିକଟରୁ ଇଂଲଣ୍ଡ ହାରିଯିବା ସତ୍ତ୍ବେ ଏବେ ବିଶ୍ବକପ୍ ଜିତିବାଠାରୁ ଗୋଟିଏ ମ୍ୟାଚ୍ ଦୂରରେ ରହିଛନ୍ତି। ସେମିଫାଇନାଲ୍ରେ ମଧ୍ୟ ଦୁଇ ଦଳ ସମାନ ଷ୍ଟାଇଲ୍ରେ ସହଜରେ ପଶ୍ଚାତଧାବନ କରି ଜିତି ନିଜ ନିଜ ଆତ୍ମବିଶ୍ବାସକୁ ଉଚ୍ଚରେ ରଖିଛନ୍ତି। ପ୍ରଥମ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ୍କୁ ପାକିସ୍ତାନ ୭ ୱିକେଟ୍ରେ ହରାଇଥିବା ବେଳେ ଦ୍ବିତୀୟ ସେମିଫାଇନାଲ୍ରେ ଭାରତକୁ ୧୦ ୱିକେଟ୍ରେ ମାତ୍ ଦେଇଥିଲା ଇଂଲଣ୍ଡ। ସେହିପରି ଇଂଲଣ୍ଡ ଫେଭରାଇଟ ଦଳ ଭାବେ ଫାଇନାଲକୁ ଓହ୍ଲାଇଛି । କିନୁ ପାକିସ୍ତାନ ପାଖରେ ମଧ୍ୟ ଭଲ ବୋଲର ଅଛନ୍ତି । ଉଭୟ ଦଳ ଆଜି ମ୍ୟାଜ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବାକୁ ଅଛନ୍ତି । ତେବେ ପାକିସ୍ତାନ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ଥରେ ବିଶ୍ୱକପ ଟାଇଟଲ ହାତେଇଛି ।
ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ସନ୍ତୁଳନ ରକ୍ଷା କରିପାରୁଥିବା ଦଳ ଯେ ରବିବାରର ଫାଇନାଲ୍ ମ୍ୟାଚ୍ ଜିତିବ ଏଥିରେ କେହି ଦ୍ବିମତ ନୁହଁନ୍ତି। ଇଂଲଣ୍ଡର ବ୍ୟାଟିଂ ବନାମ ପାକିସ୍ତାନର ବୋଲିଂ ନିଶ୍ଚିତ ମୁଖ୍ୟ ଲଢ଼େଇ ହେବ। ସମସ୍ତ କୌଶଳକୁ ପଛରେ ପକାଇ ପାକିସ୍ତାନ ନିଶ୍ଚିତ ପ୍ରତିଟି ମ୍ୟାଚ୍ରେ ନିଜକୁ ଦୃଢ଼ କରିପାରିଥିଲା। ଟ୍ବେଣ୍ଟି-୨୦ କ୍ରିକେଟ୍ ସହ ଇଂଲଣ୍ଡ ଅଙ୍ଗାଙ୍ଗିଭାବେ ଜଡ଼ିତ ଥିବାରୁ ଏହି ଦଳ ନିକଟରେ ଅଧିକ ଅଭିଜ୍ଞତା ରହିଛି। ଦାୱିଦ ମଲାନ ଓ ମାର୍କ ଉଡ୍ ଆହତ ତାଲିକାକୁ ଚାଲିଯିବା ପରେ ଇଂଲଣ୍ଡ ସାମାନ୍ୟ ଦୁର୍ବଳ ରହିଥିଲା। ଭାରତ ବିପକ୍ଷ ସେମିଫାଇନାଲ୍ରେ କିନ୍ତୁ ଏହାର ଅଭାବ ଅନୁଭବ କରିନଥିଲା ଇଂଲଣ୍ଡ। ମାର୍କ ଉଡ୍ଙ୍କ ବଦଳରେ ଆସି କ୍ରିସ୍ ଜୋର୍ଡାନ ମ୍ୟାଚ୍ ବିଜୟୀ ବୋଲିଂ କରିଥିଲେ। ଜୋସ୍ ବଟଲର୍-ଆଲେକ୍ସ ହେଲ୍ସ ଅତୁଟ ପ୍ରଥମ ୱିକେଟ୍ରେ ୧୭୦ ରନ୍ ସଂଗ୍ରହ କରି ମଲାନଙ୍କ ଅନୁପସ୍ଥିତିର ସୁଯୋଗ ବି ଦେଇନଥିଲେ। ପ୍ରତିଯୋଗିତାର ପ୍ରତିଟି ମ୍ୟାଚ୍ କ୍ରମେ ଉଭୟ ଦଳ ଏକାଠି ଲଢ଼ିବାର ଚରିତ୍ର ଦେଖାଇ ଏବେ ବିଶ୍ବକପ୍କୁ ହାତପାହାନ୍ତାରେ ପାଇଛନ୍ତି। କେବଳ ତୋଳି ଧରିବାର ସୌଭାଗ୍ୟ କେଉଁ ଦଳ ପାଉଛି ଦେଖିବାକୁ ରହିଛି।
୧୯୯୨ ଦିନିକିଆ ବିଶ୍ବକପ୍ର ଅବିକଳ ପରିସ୍ଥିତି ଆସିଛି। ୩୦ ବର୍ଷ ତଳେ ପାକିସ୍ତାନ ବିଦାୟ ବେଳାରୁ ବାହାରି ଫାଇନାଲ୍ରେ ପହଞ୍ଚିଥିଲା। ୨୨ ରନ୍ରେ ଇଂଲଣ୍ଡକୁ ହରାଇ ବିଜେତା ହୋଇଥିଲା। ଇମ୍ରାନ୍ ଖାନ୍ଙ୍କ ଦଳର ସେହି ସ୍ମୃତିକୁ ଦୋହରାଇବା ଆଶାରେ ରହିଛନ୍ତି ବାବର ଆଜମଙ୍କ ବାହିନୀ। ଜୋସ୍ ବଟଲରଙ୍କ ଦଳର ଅଧିକାଂଶ ଖେଳାଳି ଅଷ୍ଟ୍ରେଲିଆରେ ବିଗ୍ବାସ୍ ଲିଗ୍ ଖେଳୁଥିବାରୁ ସେମାନଙ୍କ ପାଇଁ ଏହା ଦ୍ବିତୀୟ ଘର ଭଳି ରହିଛି। ଉଭୟ ଦଳ ମଧ୍ୟ ୧୨/୧୩ ବର୍ଷ ତଳେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିବାରୁ ଦ୍ବିତୀୟ ଥର ଏହି ମୁକୁଟ ଲକ୍ଷ୍ୟରେ ଅଛନ୍ତି। ୨୦୦୯ରେ ପାକିସ୍ତାନ ଏବଂ ୨୦୧୦ରେ ଇଂଲଣ୍ଡ ଥରେ ଲେଖାଏଁ ଏହି ଫର୍ମାଟର ବିଶ୍ବକପ୍ ଜିତିଥିଲେ। ତୃତୀୟ ଥର ପାଇଁ କିନ୍ତୁ ଏହି ଫର୍ମାଟ ବିଶ୍ବକପ୍ ଫାଇନାଲ୍ ଖେଳିବେ ଏହି ଦୁଇ ଦେଶ। ଥରେ ଲେଖାଏଁ ବିଜେତା ଓ ଉପବିଜେତା ରହିଛନ୍ତି ପାକିସ୍ତାନ ଓ ଇଂଲଣ୍ଡ। ଇଂଲଣ୍ଡ ଜିତିଲେ କିନ୍ତୁ ପ୍ରଥମ ଦେଶ ଭାବେ ଏକକାଳୀନ ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍ ରଖିବାର ଗୌରବ ପାଇବ।
ଆଦିଲ ରସିଦ୍ ଇଂଲଣ୍ଡ ପାଇଁ ମୁଖ୍ୟ ଅସ୍ତ୍ର ହେବେ ବୋଲି ବିଶ୍ବାସ କରାଯାଉଛି। ଏହି ଲେଗ୍ ସ୍ପିନର୍ ଉଭୟ ପାକିସ୍ତାନୀ ଓପନର୍ ବାବର ଆଜମ (୩) ଓ ମହମ୍ମଦ ରିଜୱାନ (୨)ଙ୍କୁ ୫ ଥର ଆଉଟ୍ କରିଛନ୍ତି। ତଥାପି ଏହି ପାକିସ୍ତାନ ଯୋଡ଼ି ଇଂଲଣ୍ଡ ବିପକ୍ଷରେ ଭଲ ହାରାହାରି ଓ ଷ୍ଟ୍ରାଇକରେଟ୍ରେ ବ୍ୟାଟିଂ କରିଛନ୍ତି। ପାକିସ୍ତାନର ବୋଲିଂ କିନ୍ତୁ ସାମଗ୍ରିକ ଭାବେ ଉନ୍ନତ ରହିଛି। ଏହି ଦଳ ବିପକ୍ଷରେ ଚଳିତ ବିଶ୍ବକପ୍ରେ କୌଣସି ଦେଶ ୧୬୦ରୁ ଊର୍ଧ୍ବ ସ୍କୋର୍ କରିନାହାନ୍ତି। ଅନ୍ୟତମ ବ୍ୟକ୍ତିଗତ ମୁକାବିଲାରେ ଆଲେକ୍ସ ହେଲ୍ସଙ୍କ ବିପକ୍ଷରେ ହାରିସ ରୌଫ ଦେଖିବାକୁ ମିଳିବେ। ୧୭ ବଲ୍ ମୁକାବିଲାରେ ହେଲ୍ସ ୧୦୦ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରି ମାତ୍ର ଥରେ ଆଉଟ୍ ହୋଇଛନ୍ତି। ସାମ କରନଙ୍କ ଉପରେ କିନ୍ତୁ ଇଂଲଣ୍ଡର ବୋଲିଂ ଭାଗ୍ୟ ବିଶେଷ ନିର୍ଭର କରିବ।
ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ : ଜୋସ୍ ବଟଲର୍ (ଅଧିନାୟକ), ଆଲେକ୍ସ ହେଲ୍ସ, ଫିଲ୍ ସଲ୍ଟ, ବେନ୍ ଷ୍ଟୋକ୍ସ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲୀ, ହାରି ବ୍ରୁକ, ସାମ କରନ୍, କ୍ରିସ୍ ୱକ୍ସ, କ୍ରିସ୍ ଜୋର୍ଡାନ୍, ଆଦିଲ୍ ରସିଦ୍।
ପାକିସ୍ତାନ ସମ୍ଭାବ୍ୟ ଏକାଦଶ : ମହମ୍ମଦ ରିଜୱାନ, ବାବର ଆଜମ (ଅଧିନାୟକ), ମହମ୍ମଦ ହାରିସ୍, ଶାନ୍ ମାସୁଦ, ଇଫତିକାର ଅହମ୍ମଦ, ସଦାବ ଖାନ୍, ମହମ୍ମଦ ନୱାଜ, ମହମ୍ମଦ ୱାସିମ୍ ଜୁନିୟର୍, ସାହିନ ସାହା ଆଫ୍ରିଦି, ନସିମ୍ ସାହା, ହାରିସ ରୌଫ।