ୟୁଏଇରେ ହୋଇପାରେ ଟି-୨୦ ବିଶ୍ୱକପ
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୧କୁ ଆଉ ମାତ୍ର ମାସ କେଇଟା ବାକି ଅଛି । ଏହାର ଆୟୋଜନ ଭାରତରେ ହେବାକୁ ଥିବା ବେଳେ କରୋନା ମହାମାରୀ ଟୁର୍ଣ୍ଣାମେଣ୍ଟକୁ ଫିକା କରିଦେବା ଭଳି ମନେ ହେଉଛି । ଭାରତ ବଦଳରେ ୟୁଏଇରେ ହୋଇପାରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । ଟି-୨୦ ବିଶ୍ୱକପ ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ । ଏହାର ଫାଇନାଲ ନଭେମ୍ବର ୧୪ରେ ହେବା ନେଇ କ୍ରୀଡାସୂଚୀ ଘୋଷଣା ହୋଇଛି । କିନ୍ତୁ ବିଶ୍ୱକପ ଟି-୨୦ ପୂର୍ବରୁ ବିସିସିଆଇ ପାଇଁ ବଢିଛି ଅଡୁଆ । ଭାରତରେ ସଂକ୍ରମଣ ହାର ବ୍ୟାପକ ଥିବାରୁ କୌଣସି ଅଘଟଣ ଆଶଙ୍କାରେ ଏହାକୁ ୟୁଏଇକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । କିନ୍ତୁ ଭାରତରେ ପ୍ରସ୍ତାବିତ ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନସିଲ (ଆଇସିସି)କୁ କୌଣସି ଚିଠି ଲେଖିନି ବିସିସିଆଇ । କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ଟି-୨୦ ବିଶ୍ୱକପ ଭାରତ ବଦଳରେ ୟୁଏଇ କିମ୍ବା ଓମାନରେ ହୋଇପାରେ ।
ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ଯାଏଁ ୟୁଏଇରେ ହେବାର ଅଛି । ଯଦି ଏପରି ହୁଏ ତେବେ ଆଇପିଏଲ ଶେଷ ହେବାର ୨ ଦିନ ପରେ ବିଶ୍ୱକପ ମ୍ୟାଚ ଆରମ୍ଭ ହୋଇଯିବ । ପ୍ରଥମ ରାଉଣ୍ଡ ମ୍ୟାଚ ୟୁଏଇ କିମ୍ବା ଓମାନରେ ଖେଳାଯାଇପାରେ । ୟୁଏଇର ଆବୁ ଧାବୀ ଏବଂ ଶାରଜାହା ଷ୍ଟାଡିୟମରେ ଖେଳାଯାଇପାରେ ଟି-୨୦ ବିଶ୍ୱକପ । କରୋନା ମହାମାରୀ କାରଣରୁ ୨୦୨୦ରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ପରେ ଆଇସିସି ନିଷ୍ପତ୍ତି ନେଇଥିଲା ଯେ, ୨୦୨୧ ବିଶ୍ୱକପ ଭାରତରେ ଏବଂ ୨୦୨୨ ବିଶ୍ୱକପ ସଂସ୍କରଣ ଅଷ୍ଟ୍ରେଲିଆରେ ଖେଳାଯିବ । ପୂର୍ବରୁ ଭାରତରେ ବିଶ୍ୱକପ ଆୟୋଜନ କରିବା ପାଇଁ ଚାହୁଁଥିଲା ବିସିସିଆଇ । କିନ୍ତୁ ମୁଖ୍ୟତଃ ୨ଟି କାରଣ ପାଇଁ ଏହାକୁ ଆୟୋଜନ କରିବା ପାଇଁ ପଛଘୁଞ୍ଚା ଦେଉଛି ବିସିସିଆଇ । ପ୍ରଥମଟି ହେଉଛି କଡା ବାୟୋ ବବଲ । ପୂର୍ବରୁ ଆଇପିଏଲରେ କଡା ବାୟୋ ବବଲ ଥାଇ ମଧ୍ୟ କରୋନା ବ୍ୟାପିଥିଲା । ଯାହାଫଳରେ କି ଆଇପିଏଲକୁ ଅଧାରୁ ବାତିଲ କରିବାକୁ ପଡିଥିଲା । ତେବେ ବର୍ତ୍ତମାନ ଯଦି ବିଶ୍ୱକପ ଭାରତରେ ଆୟୋଜିତ ହୁଏ ତେବେ ଆଇପିଏଲ ଭଳି ବିଶ୍ୱକପରେ ମଧ୍ୟ କରୋନା ସଂକ୍ରମର ହେବାର ସମ୍ଭାବନା ରହୁଛି । ସେହିଭଳି ଦ୍ଵିତୀୟଟି ହେଉଛି କରୋନା ମହାମାରୀରେ ମଧ୍ୟ ଟ୍ୟାକ୍ସ ଛାଡ କରିବାକୁ ମନା କରିଛନ୍ତି ଭାରତ ସରକାର । ତେଣୁ ଏହି ଦୁଇ କାରଣରୁ ଭାରତରେ ବିଶ୍ୱକପ ଆୟୋଜନ ନହେବା ଆପାତତଃ ସ୍ପଷ୍ଟ ହେଇସାରିଥିଲେ ସୁଦ୍ଧା ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ ।