ଟି-୨୦ ବିଶ୍ୱକପ୍ : ଟସ୍ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ
- ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ
ଆବୁଧାବି : ଆବୁଧାବିଠାରେ ଆଜି ଟି-୨୦ ବିଶ୍ବକପର ଏକ ମ୍ୟାଚ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । କ୍ରମାଗତ ଦୁଇଟି ଶୋଚନୀୟ ପରାଜୟ ଭୋଗିବା ପରେ ଭାରତୀୟ ଦଳ ନିଜର ତୃତୀୟ ମ୍ୟାଚ୍ରେ ଆଫଗାନିସ୍ତାନକୁ ଭେଟୁଛି। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏଥିସହ ବିରାଟ କୋହଲି କ୍ରମାଗତ ଚଳିତ ବିଶ୍ଵ କପ୍ରେ ତିନି ଥର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଭାରତ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ମଧ୍ୟ ଟସ୍ ହାରିଥିଲା। ଆଜିର ମ୍ୟାଚ୍ରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଇଶାନ କିଶନଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ବଦଳରେ ଅଭିଜ୍ଞ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।
ପୂର୍ବରୁ ଦୁଇଟି ମ୍ୟାଚ ହାରିଥିବା ଭାରତ ପାଇଁ ଏହି ମ୍ୟାଚ ଏକ ସମ୍ମାନର ପ୍ରଶ୍ନ ହୋଇଯାଇଛି । ଦୁଇଟି ମ୍ୟାଚ ହାରି ଭାରତ ପାଇଁ ସେମିଫାଇନାଲ ରାସ୍ତା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । କିନ୍ତୁ ଆଜିର ମ୍ୟାଚ ଜିତି ଭାରତ ନିଜର ଫର୍ମ ଫେରିପାଇବାକୁ ଉଦ୍ୟମ କରିବ । ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଦଳକୁ ସୂର୍ଯ୍ୟକୁମାର ଯାଦବ ଫେରିଥିବାବେଳେ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଆର. ଅଶ୍ବିନୀ ଖେଳୁଛନ୍ତି ।ସେମି ଫାଇନାଲ୍ ଆଶା ବଞ୍ଚାଇ ରଖିବାକୁ ହେଲେ ଏହି ମ୍ୟାଚ୍ ଭାରତ ପାଇଁ ଶେଷ ସୁଯୋଗ । ଏହି ମ୍ୟାଚ୍ରେ ଯଦି ଭାରତ ପରାସ୍ତ ହୁଏ, ତେବେ ସେମିଫାଇନାଲ ଖେଳିବା ଆଶା ହୋଇଯିବ । ଖାଲି ସେତିକି ନୁହେଁ, ବଡ଼ ବ୍ୟବଧାନରେ ମଧ୍ୟ ଆଫଗାନିସ୍ତାନକୁ ହରାଇବାକୁ ପଡ଼ିବ । ଏହାପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ୭ ତାରିଖରେ ହେବାକୁ ଥିବା ମ୍ୟାଚ୍ ଫଳାଫଳକୁ ଅପେକ୍ଷା କରିବାକୁ ହେବ । ପାକିସ୍ତାନ ବିପକ୍ଷରେ ଲଢୁଆ ଖେଳ ପ୍ରଦର୍ଶନ କରିବା ପରେ ଆଫଗାନିସ୍ତାନ ଆଜି ଭାରତକୁ ମଧ୍ୟ କଡ଼ା ଟକ୍କର ଦେବ। ଦଳର ବୋଲିଂ ବିଭାଗ ଉନ୍ନତ ଓ ସନ୍ତୁଳିତ । ବିଶେଷ କରି ଦୁଇ ସ୍ପିନର ରସିଦ ଖାନ ଓ ମୁଜିବ ଉର ରେହମାନ ଯେକୌଣସି ଦଳ ପାଇଁ ବିପଦ ସାଜିପାରନ୍ତି । ଏମାନଙ୍କ ସହ ମହମ୍ମଦ ନବି ଆଇପିଏଲ୍ ଖେଳୁଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଶକ୍ତି ଓ ଦୁର୍ବଳତା ସହ ଭଲ ଭାବେ ପରିଚିତ । ବ୍ୟାଟିଂ ବିଭାଗକୁ ଅଟକାଇବାର କ୍ଷମତା ଭାରତ ନିକଟରେ ରହିଛି । ତଥାପି ବୋଲରମାନଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡ଼ିବ । ତେବେ ବିଶ୍ୱକପ୍ରେ ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ୨ଥର ଭେଟିଛନ୍ତି । ଉଭୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି । ୨୦୧୦ ବିଶ୍ୱକପ୍ରେ ଭାରତ ୭ ୱିକେଟ୍ରେ ଆଫଗାନିସ୍ତାନକୁ ହରାଇଥିଲା । ସେହିପରି ୨୦୧୨ରେ ୨୩ ରନ୍ରେ ଭାରତ ବିଜୟୀ ହୋଇଥିଲା ।
ଭାରତୀୟ ଦଳ :
ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ଶାମି, ଯଶପ୍ରୀତ ବୁମରା।
ଆଫଗାନିସ୍ତାନ ଦଳ :
ହଜରତୁଲ୍ଲା ଜଜାଇ, ମହମ୍ମଦ ସେହଜାଦ, ରହମନତୁଲ୍ଲା ଗୁରବଜ, ନଜିବୁଲ୍ଲା ଜଡ୍ରାନ, ମହମ୍ମଦ ନବି(ଅଧିନାୟକ), ଗୁଲବଦିନ ନାଏବ, ଶରଫୁଦ୍ଦିନ ଅଶ୍ରଫ, ରଶିଦ ଖାନ, କରିମ ଜନତ, ନବୀନ ଉଲ ହକ୍, ହମିଦ ହସନ।