ଟି-୨୦ ବିଶ୍ୱକପ୍ : ମେଲ୍ବର୍ଣ୍ଣରେ ପ୍ରବଳ ବର୍ଷା ଆଶଙ୍କା, ବଦଳିଲା ନିୟମ
ମେଲବର୍ଣ୍ଣ : ଚଳିତ ଟି-୨୦ ବିଶ୍ୱକପ୍ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମେଲବର୍ଣ୍ଣରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । କିନ୍ତୁ ଏହି ମେଗା ଫାଇନାଲ୍ ପୂର୍ବରୁ ମ୍ୟାଚ୍ ଉପରେ ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଛି । ମ୍ୟାଚ୍ ଦିନ ସହିତ ସୋମବାର ସଂରକ୍ଷିତ ଦିନରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ସୁପର ୧୨ ପର୍ଯ୍ୟାୟରେ ବର୍ଷା ଯୋଗୁଁ ଏକାଧିକ ମ୍ୟାଚ୍ ଧୋଇ ହୋଇଯାଇଥିଲା । ବର୍ଷା ଆଶଙ୍କା ସତ୍ୱେ ସେମିଫାଇନାଲ୍ ପର୍ଯ୍ୟାୟ ଠିକ୍ଠାକ୍ ଭାବେ ଶେଷ ହେଇଥିଲା । କିନ୍ତୁ ଫାଇନାଲ୍ରେ ବର୍ଷା ବଡ଼ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ପଡ଼ିଆ କର୍ମଚାରୀମାନେ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଛି । ପାଖାପାଖି ୯୫ ପ୍ରତିଶତ ବର୍ଷା ସମ୍ଭାବନା ରହିଥିଲା ବେଳେ ୨୫ ଏମ୍ଏମ୍ ପର୍ଯ୍ୟନ୍ତ ବର୍ଷିପାରେ । ଯଦି ବର୍ଷା ଛାଡ଼ିବା ପରେ ମ୍ୟାଚ୍ ଆରମ୍ଭ ହୁଏ, ତାହେଲେ ନିୟମ ଅନୁସାରେ ଅତିକମ୍ରେ ୧୦ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯାଇପାରିବ । ନଚେତ୍ ସଂରକ୍ଷିତ ଦିନରେ ଅପରାହ୍ନ ୩ଟା (ଭାରତୀୟ ସମୟ ଦିନ ସାଢ଼େ ୯ଟା)ରେ ମ୍ୟାଚ୍ ଆରମ୍ଭ ହୋଇପାରିବ । ସଂରକ୍ଷିତ ଦିନରେ ୫ରୁ ୧୦ ଏମ୍ଏମ୍ ପର୍ଯ୍ୟନ୍ତ ବର୍ଷା ହେବା ଅନୁମାନ କରାଯାଇଛି ।
ପୂର୍ବରୁ ଏଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ସୁପର ୧୨ ମ୍ୟାଚ୍ରେ ବର୍ଷା ଆଶଙ୍କା ରହିଥିଲା । କିନ୍ତୁ ମ୍ୟାଚ୍ ଆରମ୍ଭ ହେବା ବେଳକୁ ଆକାଶ ସଫା ହୋଇଯାଇଥିଲା । ଗ୍ରୁପ୍ ପର୍ଯ୍ୟାୟରେ ମୋଟ୍ ୩ ମ୍ୟାଚ୍ରେ ବଲ୍ ପଡ଼ିପାରିନଥିଲା ବେଳେ ଗୋଟିଏ ମ୍ୟାଚ୍ ଅଧାରୁ ବନ୍ଦ ରହିଥିଲା । ଏବେ ପୁଣି ଥରେ ବର୍ଷା ପାଇଁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି । ପାକିସ୍ତାନ ମଧ୍ୟ ବାଦଲ ଢଙ୍କା ଆକାଶ ତଳେ ଅଭ୍ୟାସ ଆରମ୍ଭ କରିଛି । ବାବର ଆଜମ ନ୍ୟୁଜିଲାଣ୍ଡ ବିପକ୍ଷରେ ଲୟକୁ ଫେରିଥିବାରୁ ଫାଇନାଲ୍ରେ ମଧ୍ୟ ତାଙ୍କ ବ୍ୟାଟ୍ରୁ ବଡ଼ ରନ୍ ବାହାରିବା ନେଇ ପ୍ରଶିକ୍ଷକ ମାଥ୍ୟୁ ହେଡେନ୍ ଆଶା ରଖିଛନ୍ତି । ତଥାପି ମେଲବର୍ଣ୍ଣ ପାଗକୁ ଦେଖିଲେ ୧୦ ଓଭରର ମ୍ୟାଚ୍ ହୋଇପାରେ ବୋଲି ହେଡେନ୍ ପ୍ରତିକ୍ରିୟା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲ୍ରେ ଭାରତ ଓ ନ୍ୟୁଜିଲାଣ୍ଡ୍ ବର୍ଷା ବାଧା ଯୋଗୁଁ ଦୁଇ ଦିନ ମ୍ୟାଚ୍ ଖେଳିଥିଲେ । ୨୦୦୨ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍ ମଧ୍ୟ ବର୍ଷାରେ ଧୋଇନେଇଥିଲା ।