ଟି-୨୦ ବିଶ୍ୱକପ : ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ସେମିଫାଇନାଲ ମୁକାବିଲା, ଜାଣନ୍ତୁ କଣ କହୁଛି ରେକର୍ଡ
ନୂଆଦିଲ୍ଲୀ : ଆଜି ଠାରୁ ଟି-୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲା । ବୁଧବାର ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ମ୍ୟାଚ ଥିବାବେଳେ ଗୁରୁବାର ଭାରତ ସହିତ ଇଂଲଣ୍ଡର ମ୍ୟାଚ ରହିଛି । ଏହି ମ୍ୟାଚ ସିଡନୀରେ ଖେଳାଯିବାକୁ ଥିବାବେଳେ ଅପରାହ୍ନ ୧ଟା୩୦ ଟାରେ ମ୍ୟାଚ୍ ଆରମ୍ଭ ହେବ ।
ନ୍ୟୁଜିଲାଣ୍ଡ ଦଳ କାଗଜ କଲମରେ ମଜବୁତ ହୋଇଥିଲେ ସୁଦ୍ଧା ସେମି ଫାଇନାଲ୍ରେ ମୁକାବିଲାରେ ଶକ୍ତିଶାଳୀ ପାକିସ୍ତାନକୁ ଭେଟିବ। ପାକିସ୍ତାନ ବହୁତ କଷ୍ଟ ଏବଂ ସୌଭାଗ୍ୟରୁ ସେମି ଫାଇନାଲ୍ରେ ପହଞ୍ଚି ପାରିଛି। କିନ୍ତୁ ନ୍ୟୁଜିଲାଣ୍ଡ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଏବଂ ଆୟରଲାଣ୍ଡକୁ ହରାଇ ଗ୍ରୁପ ୧ର ଶୀର୍ଷରେ ରହି ଅନ୍ତିମ ଚାରିରେ ପ୍ରବେଶ କରିଥିଲା। ବାବର ଆଜମଙ୍କ ଦଳ ସୁପର ୧୨ରେ ଭାରତ ଏବଂ ଜିମ୍ବାଓ୍ଵେ ନିକଟରୁ ହାରିବା ପରେ ସ୍ଵଦେଶ ଫେରିବାକୁ ପ୍ରସ୍ତୁତ କରିଥିଲା। ମାତ୍ର ନେଦରଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ହରାଇବାରୁ ପାକିସ୍ତାନର ସେମିକୁ ଯିବା ଆଶା ଉଜ୍ଜିବୀତ ହୋଇଥିଲା। ଏହାପରେ ପାକିସ୍ତାନ ବାଂଲାଦେଶକୁ ହରାଇ ସେମି ଫାଇନାଲ୍ରେ ପହଞ୍ଚି ପାରିଛି।
ପାକିସ୍ତାନ ଇତିହାସ ଦୋହରାଇ ଲକ୍ଷ୍ୟ ନେଇ ପଡିଆାକୁ ଓହ୍ଲାଇବ। କାରଣ ୧୯୯୨ ଦିନିକିଆ ବିଶ୍ଵ କପ୍ରେ ବଡ ମୁସ୍କିଲରେ ଦଳ ସେମି ଫାଇନାଲ୍ରେ ପହଞ୍ଚି ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ଏବଂ ଶେଷରେ ଚାମ୍ପିଅନ ହୋଇଥିଲା। ରେକର୍ଡ ପାକିସ୍ତାନ ସପକ୍ଷରେ ରହିଛି। ଏହା ପୂର୍ବରୁ ବିଶ୍ଵ କପ୍ ସେମି ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ହରାଇଥିଲା। ପାକିସ୍ତାନ ୧୯୯୨ ଏବଂ ୧୯୯୯ ଦିନିକିଆ ବିଶ୍ଵ କପ୍ ଏବଂ ୨୦୦୭ ଟି-୨୦ ବିଶ୍ଵ କପ୍ର ସେମି ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା।
ଅନ୍ୟପକ୍ଷେ ନ୍ୟୁଜିଲାଣ୍ଡ ସୀମିତ ଓଭର ଟୁର୍ଣ୍ଣାମେଣ୍ଟର ବଡ ମ୍ୟାଚ୍ରେ ଅଦ୍ୟାବଧି ଭଲ ପ୍ରଦର୍ଶନ କରି ପାରିନାହିଁ। ଗତ ୪ ବିଶ୍ଵ କପ୍ର ସେମି ଫାଇନାଲ୍ରେ ସ୍ଥାନ ପାଇଥିଲେ ହେଁ ନ୍ୟୁଜିଲାଣ୍ଡ ପ୍ରତି ଥର ବିଶ୍ଵ କପ୍ରେ ପରାଜିତ ହୋଇଛି। ନ୍ୟୁଜିଲାଣ୍ଡ ଗତ ସାତ ବର୍ଷରେ ତିନି ବିଶ୍ଵ କପ୍ ଫାଇନାଲ୍ ୨୦୧୫ ଏବଂ ୨୦୧୯ରେ ଦିନିକିଆ ଏବଂ ୨୦୨୧ରେ ଟି-୨୦ ବିଶ୍ଵ କପ୍ ହରାଇଛି। ତେଣୁ ଦେଖିବା ବାକି ରହିଲା କିଏ ପ୍ରଥମ ସେମି ଫାଇନାଲ୍ ଜିତି ଫାଇନାଲ୍ରେ ପ୍ରବେଶ କରୁଛି।